ବ୍ରହ୍ମପୁର: ବନ୍ଧୁତା କୃଷ୍ଣସୁଦାମାଙ୍କ ପରି । ଜଣ ଜଣଙ୍କର ଆଶାବାଡି । ଜଣଙ୍କ ବିନା ଅନ୍ୟ ଜଣେ ନିଜକୁ କଳ୍ପନା କରିବା ଅସମ୍ଭବ । ପରସ୍ପରଙ୍କ ମଧ୍ୟରେ କ୍ଷୀର ନୀରର ସମ୍ପର୍କ । ଏ ମଜବୁତ ସମ୍ପର୍କ ସବୁ କିଛି ଶାରିରୀକ ଅକ୍ଷମତାକୁ ହରାଇ ଜୀବନ ପଥରେ ଆଗେଇ ଚାଲିଛନ୍ତି । ଜଣେ ଜନ୍ମରୁ ଦୃଷ୍ଟିହୀନ ତ ଅନ୍ୟ ଜଣେ ପୋଲିଓରେ ଆକ୍ରାନ୍ତ ହୋଇ ଗୋଡ ହରାଇଛନ୍ତି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ଦୁଇ ଦିବ୍ୟାଙ୍ଗ ବନ୍ଧୁ ଟୁନା ପ୍ରଧାନ ଓ ନିବାସୀ ପ୍ରଧାନ । ଭଗବାନ ଅକ୍ଷମ କରିଛନ୍ତି ସତ ମନରେ ଖୁନ୍ଦି ଦେଇଛନ୍ତି ଦୃଢ ମନୋବଳ । ଯାହାର ଫଳ ସୂରୁପ ଉଭୟ ସମାଜରେ କିଛି କରି ପାରିଛନ୍ତି । ଫାଷ୍ଟଫୁଡ଼ ଦୋକାନ କରି ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ ( dibyanga friend become self dependent) ।
ପିଲାଟି ଦିନରୁ ଟୁନା ପ୍ରଧାନ ଓ ନିବାସୀ ପ୍ରଧାନ ଦୁଇ ବନ୍ଧୁ । ଟୁନା ଚାଲିପାରନ୍ତି ନାହିଁ ଓ ନିବାସୀ ଦୁନିଆର ଆଲୋକ ଦେଖି ପାରନ୍ତି ନାହିଁ । ଏନେଇ ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ । ଦୁଇ ସାଙ୍ଗ ସ୍ୱାବଲମ୍ବୀ ହୋଇଛନ୍ତି । ଫାଷ୍ଟଫୁଡ଼ ଦୋକାନ କରି ଜୀବିକା ଚଳାଉଛନ୍ତି ଦୁଇ ସାଙ୍ଗ । ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଜାତୀୟ ରାଜପଥ ପାର୍ଶ୍ଵରେ ଏକ ଫାଷ୍ଟଫୁଡ଼ ଦୋକାନ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ବର୍ଷ ପୂର୍ବ ଦୁହେଁ ଗାଁରେ ଫାଷ୍ଟପୁଡ ଦୋକାନ କରିଥିଲେ । ମାତ୍ର 2 ଟଙ୍କାରେ ଗ୍ରାହକଙ୍କୁ ଚିକେନ୍ ପକଡ଼ା ଯୋଗାଇ ଦେଉଥିଲେ । ପରିବାର ମଧ୍ୟ ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ହେଲେ 2 ଟଙ୍କାରେ ପକଡା ବ୍ୟବସାୟରେ ଲାଭ କମ କ୍ଷତି ବେଶି ହେଲା । ଏଦାଛଡା କୋରୋନା ପରଠାରୁ ବ୍ୟବସାୟ ହୋଇପାରିନଥିଲା । ଶେଷରେ ଉପାୟ ନ ପାଇ ଏଣେ ତେଣେ ବୁଲୁଥିବା ବେଳେ ଗଞ୍ଜାମ ଜାତୀୟ ରାଜପଥ ପାର୍ଶ୍ଵରେ ଚାହା ଦୋକାନ କରିଥିବା ଜଣେ ଦୋକାନୀ ତାଙ୍କ ଦୋକାନ ପାର୍ଶ୍ଵରେ ଫାଷ୍ଟଫୁଡ଼ ଦୋକାନ ଟିଏ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଏହି ଦିବ୍ୟାଙ୍ଗ ଦୁଇବନ୍ଧୁଙ୍କ ବ୍ୟବସାୟ ଜାରି ରଖିଛନ୍ତି ।