ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ତେବେ ମୃତକ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ବୋଲି ଜଣା ପଡିଛି ।
ସୂଚନା ମୁତାବକ, ସୂଚନା ଅନୁଯାୟୀ ଏକ କାଜୁ ତେଲ ବୋଝେଇ ଟ୍ରକ୍ ପଲାସାଠାରୁ ବାହାରି କଲିକତା ଅଭିମୁଖେ ଯାଉଥିଲା । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୁଳ ନିକଟରେ ବ୍ରେକ ଫେଲ୍ ହୋଇଯିବାରୁ ଗାଡି ଭାରସାମ୍ୟ ହରାଇଥିଲା । ଆଗରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇ ରାସ୍ତା ଉପରେ ଛିଡା ହୋଇଥିବା ଏକ କାର ସହ ଧକ୍କା ହୋଇ ଓଲଟି ପଡିଥିଲା । ଫଳରେ ଟ୍ରକ ଡ୍ରାଇଭର ସମେତ ବାଇକରେ ଯାଉଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ମୃତ୍ୟୁବରଣ କରିଥିବା ବେଳେ ବିଷ୍ଣୁପ୍ରିୟାଙ୍କ ଭଣଜା ଆଶୁତୋଷ ସୁବୁଦ୍ଧି, ମାମୁଁ ରାମଚନ୍ଦ୍ର ପୃଷ୍ଟି ଓ ଟ୍ରକ ହେଲପର ଗୁରୁତର ହୋଇଥିଲେ । ୩ ଜଣ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବଡ଼ ଡାକ୍ତଖାନାରେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।