ବ୍ରହ୍ମପୁର:ଗଞ୍ଜାମ ଖଣ୍ଡରା ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ ଟିମର ତନାଘନା ଜାରି । ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ଆମ୍ବତୋଟାରେ ରବିବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ବରସିଂ ଗ୍ରାମର ୨୦ ବର୍ଷିୟ ମୁନା ଗୌଡ଼ ଏବଂ ଶେରଗଡ ଅଞ୍ଚଳର ଜଣେ ନାବାଳିକା ।
ସୂଚନା ଅନୁସାରେ, ରବିବାର ସକାଳେ କିଛି ଗ୍ରାମବାସୀ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଆସିକା ଏସଡିପିଓ ଉମାଚରଣ ସିଂ ଓ ଥାନାଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚିଥିଲା । ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି ।