ବ୍ରହ୍ମପୁର: ସାହାଯ୍ୟ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଦୁଇ ଏଟିଏମ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି ଗଞ୍ଜାମ ପୋଲିସ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଅସଲି ଏଟିଏମ୍ କାର୍ଡ଼କୁ ବଦଳାଇ ଅନ୍ୟ ଏକ କାର୍ଡ ଦେଇ ଟଙ୍କା ଉଠାଇ ଠକି ନେଉଥିଲେ ଦୁଇ ଅଭିଯୁକ୍ତ ।
ତେବେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ନଗଦ 2 ଲକ୍ଷ ୭୦ ହଜାର ଟଙ୍କା, ସୁନା ମୁଦି, ତିନୋଟି ମୋବାଇଲ ଓ ଦୁଇ ମୋଟର ସାଇକେଲ ସମେତ ୧୦ ଗୋଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି ।
ଗତ ମାସର ୧୦ ତାରିଖରେ ଛତ୍ରପୁର ବ୍ଲକର ହଂସପୁର ଅଞ୍ଚଳର ନିତାଇ ପ୍ରଧାନ ଏଟିଏମ ଟଙ୍କା ଉଠାଇବା ପାଇଁ ଯାଇଥିବା ସମୟରେ ସାହାଯ୍ୟ ଆଳରେ ଗିରଫ ଲୁଟେରା ଜଣଙ୍କ ଏଟିଏମ କାର୍ଡଟିକୁ ବଦଳାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଚାରି ହଜାର ୮୦୦ ଟଙ୍କା ଅଚାନକ ଉଠାଣ ହୋଇଯିବାରୁ ସେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ ।