ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଗିରଫ କରିଛି ଶେରଗଡ଼ ପୋଲିସ (Two accused arrested by Seragad police )। ଏଥିରେ ପୋଲିସ ବହୁ ପରିମାଣର ନାମୀଦାମୀ କମ୍ପାନୀର ମୋବାଇଲ ସହିତ ପ୍ରାୟ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନୂତନ ଲାପଟପ, ସିସିଟିଭି ଭଳି ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି ।
ଗତ କିଛିଦିନ ତଳେ ଶେରଗଡ଼ ସ୍ଥିତ ପାଣିଗ୍ରାହୀ ଆସୋସିଏଟ ନାମକ ଦୋକାନରୁ ମଧ୍ୟରାତ୍ରରେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ, ଲାପଟପ୍ ଓ ତତ୍ ସମ୍ୱନ୍ଧୀୟ ସାମଗ୍ରୀ ଦୁବୁର୍ତ୍ତମାନେ ନେଇଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଶହେରୁ ଊର୍ଦ୍ଧ୍ବ ମୋବାଇଲ, ଲାପଟପ ଓ ଅନ୍ୟ ସାମଗ୍ରୀ ସହିତ ବ୍ୟବହୃତ ହୋଇଥିବା ଅଟୋ ରିକ୍ସା ସହିତ ଏକ ମୋଟର ସାଇକେଲକୁ ଜବତ କରିଛି ପୋଲିସ (many electronics products seized)।
ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣକୁ ପୋଲିସ ଗିରଫ କରିଛି । ଏମାନଙ୍କ ନାଁରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଅଦ୍ୟାବଧି ଆହୁରି ଦୁଇ ଜଣ ଫେରାର ରହିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଘଟଣାରେ ମୁଖ୍ୟ କୁହାଯାଉଥିବା ଦିଲ୍ଲୁ ଓରଫ ଦିଲ୍ଲୀପ ବିଷୋୟୀ ଏବଂ ବିଭୂ ସେଠୀ ।