ବ୍ରହ୍ମପୁର:ପାନୀୟ ଜଳ ବିକ୍ରି କରାଯାଉଥିବା ପାଣି ଜାର ମଧ୍ୟରେ ବେଆଇନ ଭାବରେ ହେଉଥିଲା ସ୍ପିରିଟ୍ କାରବାର । ଅଭିଯୋଗ ପରେ ଚଢାଉ କରିଲା ଅବକାରୀ ଗୁଇନ୍ଦା ବିଭାଗ । ୧୭ ଶହ ଲିଟର ବେଆଇନ ଗଚ୍ଛିତ ସ୍ପିରିଟ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଏନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଗୀତାଞ୍ଜଳୀ ସାହୁ କହିଛନ୍ତି,"ସ୍ପିରିଟ ଚାଲାଣ ନେଇ ଆମକୁ ଆଗରୁ ଖବର ମିଳିଥିଲା । ଏହା ପରେ ଏକ ସ୍ୱତନ୍ତ୍ର ଟିମ୍ ସହର ଉପକଣ୍ଠ ମହୁରୀକାଳୁଆ ଛକ ନିକଟରେ ଅପେକ୍ଷା କରି ରହିଥିବା ବେଳେ ସେହି ରାସ୍ତାରେ ଏକ ସ୍କୁଟି ଯୋଗେ ପାନୀୟ ଜଳ ବିକ୍ରି ପାଇଁ ବ୍ୟବହାର ହେଉଥିବା ପାଣି ଜାରରେ୍ ସ୍ପିରିଟ୍ ନେଇ ଯାଉଥିଲେ । ତେବେ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଚେକିଂ କରାଯାଇଥିଲା । ତେବେ ବିପୁଳ ପରିମାଣରେ ସ୍ପିରିଟ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।"
ତେବେ ପଚରାଉଚରା ସମୟରେ ସେମାନେ ବ୍ରହ୍ମପୁର ସହରର ବଡଖେମୁଣ୍ଡି ସାହିରେ ଏକ ଘରରେ ସ୍ପିରଟ ରଖିଥିବା ନେଇ କହିଥିଲେ । ଏହାପରେ ବ୍ରହ୍ମପୁର ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ସ୍ପିରିଟ ଜବତ କରାଯାଇଥିଲା । ମୋଟ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟବର୍ତ୍ତୀ ଫାଶୀ ଗୁଡା ଗ୍ରାମର ଶିବ ଡାକୁଆ, ଶଙ୍କର ପ୍ରଧାନ ଓ ସଞ୍ଜିବ ପ୍ରଧାନ ।