ଗଜପତି: ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ଗ୍ରାଫକୁ ଦୃଷ୍ଟିରେ ରଖି ସରକାର ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ । ଶୁକ୍ରବାର ରାତି ୯ଟାରୁ ପୂର୍ବଭଳି ରାତ୍ରୀକାଳୀନ କଫ୍ୟୁ ଜାରି ରହିଥିବା ବେଳେ ଶନିବାର ସକାଳ ଠାରୁ ରବିବାର ରାତି ଯାଏଁ ସପ୍ତାହିକ ସଟଡାଉନ ରହିବ ।
ଗଜପତିରେ ସପ୍ତାହିକ ସଟଡାଉନ ଆରମ୍ଭ ସେହିଭଳି ରବିବାର ରାତ୍ରୀରୁ ସୋମବାର ସକାଳ ୫ଟା ଯାଏଁ ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସଟଡାଉନ ସମୟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପାରଳାଖେମୁଣ୍ଡି ଏବଂ କାଶୀନଗର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତେବେ ପାରଳାଖେମୁଣ୍ଡି ଏବଂ କାଶୀନଗର ଅଞ୍ଚଳରେ ଆଜି କୌଣସି ଦୋକାନ ବଜାର ଖୋଲା ନଥିବା ବେଳେ ଲୋକେ ମଧ୍ୟ ଘରୁ ବାହାରକୁ ଆସୁନଥିବା ଦେଖିବାକୁ ମିଳିଛି । ସେହିପରି ଆନ୍ତଃରାଜ୍ୟ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।
ସପ୍ତାହିକ ସଟଡାଉନ ସମୟରେ କେବଳ ସମସ୍ତ ମେଡିକାଲ, ନର୍ସିଂହୋମ, ଔଷଦ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇଁ ଅନୁମତି ମିଳିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ପୌରପ୍ରଶାସନର କର୍ମଚାରୀ, ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ସେହିପରି ଟେଲିକମ ସେବା, ପେଟ୍ରୋଲ ପମ୍ପ, ବିଦ୍ୟୁତ୍ ସେବା, ଗ୍ୟାସ୍ ବିତରଣ ସଂସ୍ଥା ଏବଂ ବିତରକମାନଙ୍କୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଜିନିଷ ବୋଝେଇ ଗାଡି ଏବଂ ଜିନିଷ ବୋଝେଇ କିମ୍ବା ଖାଲି କରିବା କାମରେ ନିୟୋଜିତ କର୍ମଚାରୀ, ବସଷ୍ଟାଣ୍ଡ, ରେଳବାଇ ଷ୍ଟେସନକୁ ଆସିଥିବା ଲୋକଙ୍କୁ ଘରକୁ ନେବା ଆଣିବା କରିବା ପାଇଁ କାର୍ କିମ୍ବା ଟ୍ୟାକ୍ସି, ଦୁଗ୍ଧ ବିକ୍ରୟ କେନ୍ଦ୍ର, ପାର୍ସଲ ଦେବା ପାଇଁ ହୋଟେଲ ଏବଂ ଢାବା ଖୋଲା ରଖିବାକୁ ଅନୁମତି ମିଳିଛି ।
ସେହିଭଳି ଖବର ସଂଗ୍ରହ କରିବା ପାଇଁ ଗଣମାଧ୍ୟମର ପ୍ରତିନିଧି ଏବଂ ଖବର କାଗଜ ବିକ୍ରୟ ପାଇଁ ଦିନ ୮ଟା ଯାଏଁ ହକରଙ୍କୁ ଅନୁମତି ପ୍ରଦାନ କରାଯାଇଥିବାରୁ ଏମାନଙ୍କୁ ବାଦ ଦେଇ ଅନ୍ୟମାନେ ସମସ୍ତେ ନିୟମ ମାନି ଘରେ ରହିବାକୁ ଏସପି ଅନୁରୋଧ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ