ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଯେଭଳି ରୂପାନ୍ତରିତ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରା ରାଜ୍ୟରେ ସୁନାମ ଅର୍ଜନ କରିପାରିଛି, ଠିକ ସେହିପରି ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ନେଇ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକର ମାନ ବୃଦ୍ଧି କରାଯାଇ ଯେପରି ରୋଗୀମାନେ ଉତ୍ତମ ସେବା ପାଇ ସୁସ୍ଥ ହେବେ ସେନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫରେନ୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘ମୋ ହସ୍ପିଟାଲ ମୋ ଗର୍ବ’ କାର୍ଯ୍ୟକ୍ରମକୁ ସାକାର କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଏହାସହ ସମସ୍ତ ଚିକିତ୍ସାଳୟ ଗୁଡିକରେ ଭଲ କକ୍ଷ, ଉତ୍ତମ ପଞ୍ଜୀକରଣ ବ୍ୟବସ୍ଥା, ପଞ୍ଜୀକରଣ ପରେ ତୁରନ୍ତ ଚିକିତ୍ସା ସୁବିଧା, ଉତ୍ତମ ମାନର ଔଷଧ ବିତରଣ, ରୋଗୀଙ୍କୁ ଫୋନ କରି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା, ସମୟାନୁଯାୟୀ ରୋଗୀଙ୍କୁ ସେବା ଯୋଗାଇବା ଦିଗରେ ଉଚିତ ପରାମର୍ଶ ପ୍ରଦାନ କରାଯିବା ଆଦି ବିଷୟ ନେଇ ଆଲୋଚନା ହୋଇଥିଲା ।
ଏପଟେ ଚିକିତ୍ସାଳୟ ଗୁଡିକର ଭିତ୍ତିଭୂମିଗୁଡିକର ବିକାଶ, ପାନୀୟଜଳ ଯୋଗାଣ, ଶୌଚାଳୟର ସଫେଇ, ବୃକ୍ଷରୋପଣ, ସୌନ୍ଦର୍ଯ୍ୟକରଣ ଇତ୍ୟାଦି ସମେତ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମଗୁଡିକର ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ତେବେ ଏନେଇ ଆଜିଠାରୁ(ମଙ୍ଗଳବାର) ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ଅଞ୍ଚଳର ଚିକିତ୍ସା କେନ୍ଦ୍ରଗୁଡିକୁ ଗସ୍ତ କରି ତାହାର ଅନୁସନ୍ଧାନ କରି ରିପୋର୍ଟ ପ୍ରସ୍ତୁତ କରିବେ । ଏହାପରେ ଉପଜିଲ୍ଲାପାଳଙ୍କ ସ୍ତରରେ ତାହାର ତଜର୍ମା କରି ସଠିକ ଏବଂ ସମୟୋଚିତ ରୂପାନ୍ତରିତ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ ସମସ୍ତ ଚିକିତ୍ସାଳୟଗୁଡିକୁ ଗସ୍ତ କରି ଏହି କାର୍ଯ୍ୟର ତଦାରଖ କରିବେ । ସମସ୍ତ ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବି ସେମାନଙ୍କ ଯତ୍ନ ନେବାକୁ ଜିଲ୍ଲାପାଳ ସମସ୍ତ ଚିକିତ୍ସାଧିକାରୀଙ୍କୁ ବୈଠକରେ ଅନୁରୋଧ କରିଥିଲେ ।