ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୫୦୩ ପଞ୍ଚାୟତର ଭିତ୍ତିଭୂମି ଅନୁଧ୍ୟାନ କରିବେ ଜିଲ୍ଲାପାଳ । ବ୍ରହ୍ମପୁର ଲକଡାଉନ ଶେଷ ପରେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ କିଭଳି ରହିଛି ଭିତ୍ତିଭୂମି ଏହାକୁ ନେଇ ଜିଲ୍ଲାର ୫୦୩ ପଞ୍ଚାୟତର ଭିତ୍ତିଭୂମି ଅନୁଧ୍ୟାନ କରିବେ ଗଞ୍ଜାମ ଜିଲ୍ଲାପାଳ ।
ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଥିର କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ର ଗୁଡିକର ଭିତ୍ତିଭୂମି ଅନୁଧ୍ୟାନ କରିବା ସହିତ ଜିଲ୍ଲାର ସମସ୍ତ ୫୦୩ଗୋଟି ଗ୍ରାମପଞ୍ଚାୟତକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ । ଗ୍ରାମ ପଞ୍ଚାୟତକୁ କେତେ ଲୋକ ଫେରିବେ, ସେମାନଙ୍କ କ୍ବାରେଣ୍ଟାଇନ ପାଇଁ କେଉଁ ସବୁ ସ୍ଥାନ ଚିହ୍ନଟ କରାଯାଇଛି, ଖାଇବା ବ୍ୟବସ୍ଥା, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ପ୍ରଭୃତି ଅନୁଧ୍ୟାନ କରିବେ ।
ସେହିପରି ବରିଷ୍ଠ ଅଧିକାରୀମାନଙ୍କୁ ଭିନ୍ନଭିନ୍ନ ଗ୍ରାମପଞ୍ଚାୟତ ଗୁଡିକର ଦାୟିତ୍ୱ ନ୍ୟସ୍ତ କରାଯିବ । ଜିଲ୍ଲାକୁ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ ବୋଲି ପ୍ରାଥମିକ ଅଟକଳ କରାଯାଇଛି । ସେମାନେ ସଂପୃକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ସମସ୍ତଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ କିଟ ବର୍ତ୍ତମାନ ଠାରୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।