ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଦୁଇଟି ପଞ୍ଚାୟତରେ ଏକର ଏକର ଚାଷ ଜମିରେ ଜଳସେଚନ ଅଭାବରୁ ଖରିଫ ଫସଲ ହୋଇପାରିନାହିଁ । ଏ ନେଇ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇ ଚାଷୀଙ୍କୁ ସହାୟତା ପାଇଁ ଦାବି ହୋଇଛି ।
ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ ଚିକିଟିର ୧୭ ଗୋଟି ପଞ୍ଚାୟତକୁ ମିଶାଇ ସମୁଦାୟ ୪୦ ଗୋଟି ପଞ୍ଚାୟତ ରହିଛି । ଏଥି ମଧ୍ୟରୁ ପ୍ରାୟ ୧୮ ଟି ପଞ୍ଚାୟତର ପାଖାପାଖି ୫୦ ପ୍ରତିଶତ କୃଷି ଉପଯୋଗୀ ଜମି କେବଳ ବର୍ଷାଧାରା ଉପରେ ନିର୍ଭର । ଚଳିତବର୍ଷ ଆବଶ୍ୟକ ପରିମାଣର ବୃଷ୍ଟିପାତ ହୋଇପାରିନଥିବାରୁ ଚିକିଟି ଏବଂ ପାତ୍ରପୁର ବ୍ଲକର ୯ ଟି ଲେଖାଏଁ ପଞ୍ଚାୟତ ୮୦ରୁ 100ପ୍ରତିଶତ ରୁଆ ହୋଇପାରିନାହିଁ । ଏ ନେଇ ଗତ ସେପ୍ଟେମ୍ବର ମାସରେ ଜିଲ୍ଲା ପ୍ରଶାସନଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏବେ ସୁଦ୍ଧା ଚାଷୀଙ୍କୁ କୌଣସି କ୍ଷତିପୂରଣ ମିଳିପାରିନାହିଁ ।