MKCG ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନୁଧ୍ୟାନ କଲେ ୨ ଜଣିଆ ଟିମ ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର କାର୍ଯ୍ୟ ଏବଂ ସ୍ଥିତି ଅନୁଧ୍ୟାନ କରିଛନ୍ତି ଦୁଇ ଜଣିଆ ପ୍ରତିନିଧି ଦଳ । ଓଡିଶା ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି ୨ ଜଣିଆ ପ୍ରତିନିଧି ଦଳ ମେଡିକାଲରେ ପହଞ୍ଚିଥିଲେ । ଏହାପରେ ପରିବେଶ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଏବଂ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ବୁଲି ଦେଖିଛନ୍ତି ।
ଏହି ଦୁଇ ଜଣିଆ ଟିମ ମେଡିକାଲର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ନୂତନ ପ୍ଲାଣ୍ଟର କାର୍ଯ୍ୟର ସ୍ଥିତି ଓ ଏହାକୁ ପରିଚାଳନା କରୁଥିବା ସଂସ୍ଥାର ମଧ୍ୟ ଯାଞ୍ଚ କରିଥିଲେ । ଏହି କାର୍ଯ୍ୟ ଲାଗି ନିୟୋଜିତ ରହିଥିବା କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଠାରୁ ଆରମ୍ଭ କରି ସେମାନେ କେତେ ଅଭିଜ୍ଞତା ସମ୍ପନ୍ନ ତାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏହି ପ୍ରତିନିଦି ଦଳ । ଏପରିକି ସରକାରୀ ନିର୍ଦ୍ଦେଶନାମା କଣ ରହିଛି ଏଠାରେ ତାହାର କିପରି କାର୍ଯ୍ୟ ହେଉଛି ତାହାର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ ଏହି ପ୍ରତିନିଧି ଦଳ ।
ଏହା ବି ପଢନ୍ତୁ- ଯୁବକଙ୍କୁ ସଂଘବଦ୍ଧ ହତ୍ୟା, କାରଣ ଅସ୍ପଷ୍ଟ
ମୈତ୍ରୀ ସଂସଦର ସଭାପତି ଅଜୟ ମହାନ୍ତି ଏବଂ ସୁଜିତ ନାଥଙ୍କ ଏହି ଟିମ ସହିତ ମେଡିକାଲର ଅଧୀକ୍ଷକ ଡକ୍ଟର ସନ୍ତୋଷ କୁମାର ମିଶ୍ର, ମେଡିକାଲର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ଏବଂ ମ୍ୟାନେଜରମାନେ ଆଲୋଚନା କରିଥିଲେ । ପୂର୍ବରୁ ଏହି ଟିମ ବୁର୍ଲା ଭିମସାର ଏବଂ କଟକ ମେଡିକାଲ କଲେଜ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମସ୍ତ ରିପୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯିବ ବୋଲି କୁହାଯାଇଛି ।
ଏନେଇ ମୈତ୍ରୀ ସଂସଦର ସଭାପତି ଅଜୟ ମହାନ୍ତି କହିଛନ୍ତି, "ଆମକୁ ନିର୍ଦ୍ଦେଶ ରହିଛି ଯେ ଏଠାରେ ଯେଉଁ ଇନସୁଲେଟର ସ୍ଥାପନ କରାଯାଇଛି ତାହା କିପରି କାର୍ଯ୍ୟ କରୁଛି ? ନୂଆ ଇନସୁଲେଟର ସ୍ଥାପନ କରାଯାଇଛି କି ନାହିଁ ? ପୁରୁଣା ଇନସୁଲେଟର ପରିଚାଳିତ ହେଉଛି କି ନାହିଁ ? ଏ ନେଇ ଆମ ନିକଟରେ କାଗଜପତ୍ର ରହିଛି । ଏହାର ଆମେ ଯାଞ୍ଚ କରିବା ପରେ ହାଇକୋର୍ଟଙ୍କ ନିକଟରେ ରିପୋର୍ଟକୁ ଦାଖଲ କରିବୁ । "
ଇଟିଭି ଭାରତ, ବ୍ରହ୍ମପୁର