ବ୍ରହ୍ମପୁର: ପଞ୍ଚାୟତରରେ ବିଭିନ୍ନ ସ୍ଥାନରେ ଝାଡୁ ମାରି ଚର୍ଚ୍ଚାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଗଞ୍ଜାମ ପୋଲସରାର ବିଡିଓ ଶମ୍ଭୁନାଥ ନନ୍ଦୀ ନିଜେ ହାତରେ ଝାଡୁ ଧରି ପୋଲସରା ବ୍ଲକର ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁ ମାରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କର ଏଭଳି ସ୍ବଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଆମ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀ ମାନେ ଏକତ୍ରିତ ହୋଇ ହାତରେ ସଚେତନତା ମୂଳକ ବ୍ୟାନର ଧରି ମଥୁରା ପଞ୍ଚାୟତର ୧୫ଟି ସାହିକୁ ପରିଭ୍ରମଣ କରି ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଡ଼ିଓ ନିଜେ ପ୍ରତ୍ୟେକ ସାହି ଉପରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ନିଜ ଝାଡୁ ଦ୍ବାରା ପରିଷ୍କାର ପରିଚ୍ଛନ୍ନ କରିଥିଲେ । ବିଡ଼ିଓଙ୍କ ଏଭଳି ମନୋଭାବକୁ ସମ୍ମାନ ଜଣାଇ ସରପଞ୍ଚ ସମେତ ଯୁବଗୋଷ୍ଠୀ ମାନେ ହାତରେ ଝାଡୁ, କୋଡି ଧରି ପଞ୍ଚାୟତର ସମସ୍ତ ରାସ୍ତାଘାଟ ସଫାସୁତୁରା କରିଥିଲେ । ପଞ୍ଚାୟତରେ ସମସ୍ତ ଗ୍ରାମବାସୀଙ୍କୁ ଘରେ ପାଇଖାନା ବ୍ୟବହାର କରିବା ସହ କୌଣସି ସ୍ଥାନରେ ବାହ୍ୟ ମଳତ୍ୟାଗ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ବିଡ଼ିଓ ।