ବ୍ରହ୍ମପୁର:ଶିଶୁର ମୃତଦେହ ଘରକୁ ନେବା ପାଇଁ ମିଳିଲାନି ଗାଡ଼ି। ମାନବିକତାର ପରିଚୟ ଦେଖାଇଲେ ଉପଜିଲ୍ଲାପାଳ। ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ମାନବିକତାର ପରିଚୟ ଦେଖାଇଲେ ଉପଜିଲ୍ଲାପାଳ ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁଟି କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଳକର ପୁରୁଣାକୁଣ୍ଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୂମିଆ ଏବଂ ପତ୍ନୀ ବିମଳାଙ୍କ ଏକ ବର୍ଷର ଶିଶୁପୁତ୍ର ହୋଇଥିବା ଜଣାପଡ଼ିଛି। ହେଲେ ମୃତଦେହକୁ ନିଜ ଗ୍ରାମକୁ ନେଇ ଯିବା ପାଇଁ ଅର୍ଥ ନଥିବାରୁ ଦୀର୍ଘ 5 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମେଡିକାଲ ପରିସରରେ ଅସହାୟ ଭାବେ ମୃତ ଶିଶୁକୁ ଧରି ବସି ରହିଥିଲେ ଦମ୍ପତି।
ଏହି ଖବର ସହରର କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଘଟଣା ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାଶନଙ୍କୁ ଅବଗତ କରାଇଥିଲେ। ପରେ ଜିଲ୍ଲାପ୍ରଶାସନର ସହଯୋଗ କ୍ରମେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।
ଗତ 12 ତାରିଖରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଶିଶୁ ରୋଗ ବିଭାଗରେ ଚିକିତ୍ସା ପାଇଁ ଶିଶୁକୁ ଭର୍ତ୍ତି କରାଯାଇଥିଲା । ହେଲେ ଶିଶୁଟିର ମୃତ୍ୟୁ ପରେ ଅସହାୟ ହୋଇ ପଡିଥିବା ପରିବାରକୁ ଉପଜିଲ୍ଲାପାଳ ସହାୟତା ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି । ତାଙ୍କ ସାହାଯ୍ୟ କେବେ ଭୁଲି ପାରିବେ ନାହିଁ ବୋଲି ଉକ୍ତ ପରିବାର କହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ