ଓଡିଶା

odisha

ETV Bharat / state

ଗଞ୍ଜାମରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନୀଙ୍କ ହେବ ସ୍ବତନ୍ତ୍ର ସ୍କ୍ରିନିଂ - ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜିଲ୍ଲାରେ କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମେଡିକାଲ ଅଧିକାରୀ (ଏମ୍ଓ)ମାନଙ୍କ ସହିତ ସ୍ବାସ୍ଥ୍ୟଜନୀତ ବିସ୍ତୃତ ଆଲୋଚନା କରିଥିଲେ ।

special screening for shopkeepers in ganjam, ganjam latest news, ganjam collector's notice, covid management in ganjam, ଗଞ୍ଜାମରେ ବ୍ୟବସାୟୀଙ୍କର ସ୍ବତନ୍ତ୍ର ସ୍କ୍ରିନିଂ, ଗଞ୍ଜାମ ଲାଟେଷ୍ଟ ନ୍ୟୁଜ୍‌, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଗଞ୍ଜାମରେ କୋଭିଡ ପରିଚାଳନା
ଗଞ୍ଜାମରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନୀଙ୍କର ହେବ ସ୍ବତନ୍ତ୍ର ସ୍କ୍ରିନିଂ

By

Published : Jul 19, 2020, 8:19 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନୀମାନଙ୍କର କରାଯିବ ସ୍ବତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ । ଜିଲ୍ଲାରେ କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମେଡିକାଲ ଅଧିକାରୀ (ଏମ୍ଓ)ମାନଙ୍କ ସହିତ ସ୍ବାସ୍ଥ୍ୟଜନୀତ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସେ ଏମ୍‌ଓମାନଙ୍କ ସ୍ବତନ୍ତ୍ର ସ୍କ୍ରିନିଂ ପାଇଁ ମଧ୍ୟ ଆଲୋଚନା କରିଥିଲେ ।

ଏପରି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାବାସୀଙ୍କୁ ଉତ୍ତମ ଚିକିତ୍ସା ଓ ଚିକିତ୍ସା ଜନିତ ସୁବିଧା ଗୁଡିକ ଠିକ୍ ସମୟରେ ଯୋଗାଇ ଦେବାର ଆବଶ୍ୟକତା ପଡୁଛି । ରୋଗୀମାନେ ଡାକ୍ତରମାନଙ୍କ ଉପରେ ଅନେକ ଆଶା ଭରସା କରି ଆସୁଛନ୍ତି । ଏଣୁ ଡାକ୍ତରମାନେ ମାନବିକତାର ସହ ଚିକିତ୍ସା ଯୋଗାଇ ଦେଲେ ରୋଗୀମାନଙ୍କର ମନୋବଳ ସୂଦୃଢ ହୋଇପାରିବ । ଏଥିସହ ସେମାନେ କୋରୋନା ସଂକ୍ରମଣକୁ ରୋକିବାର ସାହାସ ଜୁଟାଇ ପାରିବେ ଏବଂ କୋରୋନା ସହ ଲଢେଇ କରି ବିଜୟ ହାସଲ କରିପାରିବେ ।

ଏହାଦ୍ବାରା ଡାକ୍ତରମାନେ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ । ଯେଉଁ ରୋଗୀମାନେ ଆସୁଛନ୍ତି ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପ୍ରବର୍ତ୍ତାଇବା ସହ ନିଜ ସ୍ତରରେ ଆଇସୋଲେସନରେ ରଖି ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ । ସେମାନଙ୍କ ପ୍ରତି ଆଦୌ ଅବହେଳା ନ କରିବାକୁ ସମସ୍ତ ମେଡିକାଲ୍ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ରୋଗୀଙ୍କ ଛୋଟ ଛୋଟ ସମସ୍ୟା ଥିଲେ ସେହିଠାରେ ହିଁ ସେମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ଆବଶ୍ୟକସ୍ଥଳେ ସେମାନଙ୍କୁ ଯଦି ଅନ୍ୟ କୌଣସି ସ୍ଥାନକୁ ଚିକିତ୍ସା ପାଇଁ ପଠାଯାଉଛି ତେବେ ସେହି ସ୍ଥାନର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ରେଫର କରୁଥିବା ରୋଗୀଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହାଦ୍ବାରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପୂର୍ବ ପ୍ରସ୍ତୁତି କରାଯିବା ସହ ରୋଗୀକୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ସେପଟେ ଗୋଟିଏ ବ୍ଲକରେ ଅକ୍ସିଜେନ୍ ସହିତ ଦୁଇଟି ଆମ୍ବୁଲାନ୍ସ ରହିବା ଜରୁରୀ । ଆଞ୍ଚଳିକ ପରିବହନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ବର୍ତ୍ତମାନ 118ଟି ଆମ୍ବୁଲାନ୍ସ ରହିଛି ତେଣୁ ରୋଗୀଙ୍କୁ ସ୍ଥାନାନ୍ତର କରିବା ଦିଗରେ କୈଣସି ପ୍ରତିବନ୍ଧକ ଦେଖାଯିବ ନାହିଁ ବୋଲି ସେ ଆଶା କରିଛନ୍ତି । ତେଣେ ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରେ ମହଜୁଦ୍ କରି ରଖାଯାଇଥିବା ଔଷଧଗୁଡିକୁ ଯାଞ୍ଚ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏପରିକି କୋଭିଡ୍ ପରିଚାଳନା ଦିଗରେ ଡାକ୍ତରମାନେ ମୁଖ୍ୟ ଭୂମିକା ନିର୍ବାହ କରି ରେଡ୍ ଜୋନରୁ ଗ୍ରୀନ୍ ଜୋନରେ ପରିଣତ କରିପାରିବେ ବୋଲି ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।

ବର୍ତ୍ତମାନ ଜିଲ୍ଲାରେ ଜନ ସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାରେ ଦୋକାନୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଜରାତି, ପନିପରିବା, ଆମିଷ ଦୋକାନଗୁଡିକ ଖୋଲା ଯାଉଛି ଏବଂ ସେମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କୋଭିଡ୍ ନିୟମ ବିଷୟରେ ଅବଗତ କରାଇ ଦିଆଯାଇଛି । ହେଲେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ବ୍ୟବସାୟୀମାନେ ଆକ୍ରାନ୍ତ ହେବାର ସମ୍ଭାବନା ସର୍ବାଧିକ ରହିଛି । ଏହାକୁ ରୋକିବା ପାଇଁ ବର୍ତ୍ତମାନ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଦୋକାନୀମାନଙ୍କର ସ୍ବାସ୍ଥ୍ୟର ସ୍କ୍ରିନିଂ କରାଯିବା ଦିଗରେ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ ।

ଏହି ଭିଡିଓ କନଫରେନ୍ସିଂରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details