ଓଡିଶା

odisha

ETV Bharat / state

ସ୍ମାର୍ଟକେମ୍ ପ୍ରକଳ୍ପ ବିବାଦ, ପୋଲିସ ଉପସ୍ଥିତିରେ ଆରମ୍ଭ ହେଲା ପାଚେରୀ ନିର୍ମାଣ, ଗ୍ରାମରେ ଚାପା ଉତ୍ତେଜନା - ପୋଲିସ ଉପସ୍ଥିତିରେ ଆରମ୍ଭ ହେଲା ପାଚେରୀ ନିର୍ମାଣ

ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ସାର କାରାଖାନା ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ପ୍ରକଳ୍ପର ଚତୁଃପାର୍ଶ୍ବରେ ଅସ୍ଥାୟୀ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ୨୧ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ସ୍ମାର୍ଟକେମ୍ ପ୍ରକଳ୍ପ ବିବାଦ
ସ୍ମାର୍ଟକେମ୍ ପ୍ରକଳ୍ପ ବିବାଦ

By

Published : Feb 14, 2023, 10:52 PM IST

ସ୍ମାର୍ଟକେମ୍ ପ୍ରକଳ୍ପ ବିବାଦ

ବ୍ରହ୍ମପୁର: ଟାଟା ଅଧିକୃତ ଜମିରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ନାମକ ସାର କାରାଖାନା ପ୍ରକଳ୍ପ ନିର୍ମାଣ କରାଯିବାକୁ ନେଇ ଲାଗିରହିଥିବା ବିବାଦ ପୁଣି ଉଗ୍ରରୂପ ନେଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ଏହି ପ୍ରକଳ୍ପ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଥିବା ଯୋଗୁଁ ଏହି ପ୍ରକଳ୍ପର କାମ ବନ୍ଦ ରହିଥିଲା । ହେଲେ ପ୍ରାୟ ୨୧ ପ୍ଲାଟୁନ୍ ପୋଲିସ ଉପସ୍ଥିତିରେ ପ୍ରକଳ୍ପର ଚତୁଃପାର୍ଶ୍ବରେ ଅସ୍ଥାୟୀ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

ବ୍ୟାପକ ପୋଲିସ ଫୋର୍ସ ସହିତ ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର, ୫୧ ଜଣ ପୋଲିସ ଏସଆଇ ଓ ଏଏସଆଇ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଣି ଏହି ବିବାଦିୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ନେଇ ଗ୍ରାମ୍ୟ କମିଟି ପକ୍ଷରୁ କଣ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଉଛି । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ଗ୍ରାମର ୫୦ ଜଣ ବ୍ୟକ୍ତିଙ୍କୁ କମ୍ପାନୀର ମୁମ୍ବାଇ ଠାରେ ରହିଥିବା ପ୍ଲାଣ୍ଟକୁ ପରିଦର୍ଶନ କରି ଆଣିବା ପାଇଁ ସ୍ଥିର କରାଯାଇଥିବା ବେଳେ ଏହା ପୂର୍ବରୁ ଏପରି ପୋଲିସ ଉପସ୍ଥିତିରେ ଟାଟା ଅଧିକୃତ ଜମିରେ ପାଚେରୀ ନିର୍ମାଣ କରାଯିବା ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନଥିବା କହିଛନ୍ତି ।

ଏହାକୁ ନେଇ ଗ୍ରାମର ରାଜସ୍ବ କାର୍ଯ୍ୟାଳୟ ପରିସରରେ ତହସିଲଦାରଙ୍କ ଉପସ୍ଥିତିରେ ଗ୍ରାମବାସୀ ଆଲୋଚନା କରିଥିବାବେଳେ ଏହି ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବେ, ନା ପ୍ରକଳ୍ପ ସ୍ଥଳରେ ପୁଣି ବିରୋଧ କରିବେ ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ । ଚଳିତ ମାସ ୪ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କାରଖାନାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ୭ ଦିନ ମହଲତ ଦିଆଯାଇଥିଲା । ଗୋଟିଏ ପଟେ ଏହି ସାର କାରଖାନା ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାଇବାକୁ ବାରମ୍ବାର ଉଦ୍ୟମ ଜାରି ରହିଛି । ଏହାସହ କାଳିପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମରେ ଗୋଟିଏ ପରେ ଗୋଟିଏ ବୈଠକ କରି ସେମାନଙ୍କ ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନଙ୍କୁ ପ୍ରଦାନ କରାଯାଉଛି ।

ଏପରିକି ଗ୍ରାମରେ ଡି-ନୋଟିଫିକସେନ୍ ସର୍ଭେ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟି ମଧ୍ୟମରେ ସମସ୍ତ ଗ୍ରାମବାସୀଙ୍କ ସର୍ଭେ କରି ମୂଳପଟ୍ଟାଦାରରୁ ଉତ୍ତରାଧିକାରୀମାନଙ୍କ ନାମରେ ଏବଂ ଦଖଲରେ ଥିବା ବ୍ୟକ୍ତିଙ୍କ ନାମରେ ପଟ୍ଟା ପ୍ରଦାନ, ମହାରାଷ୍ଟ୍ର ତାଲୋଜାସ୍ଥିତ କମ୍ପାନୀ ପରିଦର୍ଶନ ନିମନ୍ତେ ଗୋଟିଏ ୫୦ ଜଣିଆ କମିଟି ଗଠନ ହେବା ସହ ଜିଲ୍ଲା ପ୍ରଶାସନ ଆଦେଶ କ୍ରମେ ସେଠାକୁ ଯିବାକୁ ରାଜି ରହିଛନ୍ତି ଗ୍ରାମବାସୀ । ସେହି କମ୍ପାନୀ ପରିଦର୍ଶନ କରି ଗ୍ରାମକୁ ଫେରିବା ପର୍ଯ୍ୟନ୍ତ ସ୍ମାର୍ଟ ଟେକ୍‌ କମ୍ପାନୀ କାର୍ଯ୍ୟ ବନ୍ଦ ରହିବ, କମ୍ପାନୀ ପରିଦର୍ଶନ ଯିବା ପୂର୍ବରୁ କମ୍ପାନୀର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ କାଳିପଲ୍ଲୀ ଗ୍ରାମ ପରିଚାଳନା କମିଟି ପକ୍ଷରୁ ଚାରୋଟି ସର୍ତ୍ତ ଲିଖିତ ଚିଠି ଜିଲ୍ଲା ପ୍ରଶାସନଙ୍କୁ ପ୍ରଦାନ କରାଯାଇଛି । ଦିନକୁ ଦିନ ସ୍ମାର୍ଟକେମ୍ ଟେକ୍ନୋଲୋଜି ସାର କାରାଖାନା ନିର୍ମାଣ ହୋଇପାରିବ କି ନାହିଁ ତାହାକୁ ନେଇ ନାନା ଅନିଶ୍ଚିତତା ଲାଗି ରହିଥିବା ବେଳେ ପୋଲିସ ଉପସ୍ଥିତିରେ ମଙ୍ଗଳବାର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଏହା କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details