ବ୍ରହ୍ମପୁର:ହଜିଗଲା ମାନବିକତା । ଜଣେ ଅସୁସ୍ଥ ବୃଦ୍ଧା ମହିଳାଙ୍କୁ ଅଧାବାଟରୁ ଓହ୍ଲାଇ ଦେଲେ ବସ କର୍ମଚାରୀ । ଫଳରେ ରାସ୍ତାରେ ହିଁ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବସରେ ବୃଦ୍ଧା ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମେଡିକାଲ ନେବା ବଦଳରେ ତାଙ୍କୁ ଓ ତାଙ୍କ ପୁଅକୁ ରାସ୍ତାରେ ଓହ୍ଲାଇ ଦେଇଥିଲେ ବସ କର୍ମଚାରୀ । ଏହାଫଳରେ କିଛି ସମୟ ପରେ ରାସ୍ତାରେ ହିଁ ଆଖି ବୁଜିଥିଲେ ବୃଦ୍ଧା ମହିଳା ଜଣଙ୍କ ।
ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ସୁଜିତ ସ୍ବାଇଁ ତାଙ୍କ ଅସୁସ୍ଥ ମାଆ ରୁନୁ ସ୍ବାଇଁଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ନେଇଥିଲେ । ଏହାପରେ ସେ ତାଙ୍କ ଘରକୁ ଫେରୁଥିଲେ । ଏକ ଘରୋଇ ବସରରେ ଆସୁଥିବାବେଳେ ଅଧିକ ଅସୁସ୍ଥ ହୋଇପଡିଥିଲେ ରୁନୁ ସ୍ବାଇଁ । ମାଆଙ୍କ ଦେହ ଅଧିକ ଖରାପ ହେବାରୁ ନିକଟସ୍ଥ ମେଡିକାଲକୁ ନେବାକୁ ବସ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ସୁଜିତ । ହେଲେ ବସ କର୍ମଚାରୀ ଜଣଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଜାତୀୟ ରାଜପଥର ଗଞ୍ଜାମ ସହର ଶନି ମନ୍ଦିର ଛକଠାରେ ଓହ୍ଲାଇ ବସଟି ଚାଲିଯାଇଥିଲା । ଉଭୟଙ୍କୁ ବସ କର୍ମଚାରୀ ଓହ୍ଲାଇବାର କିଛି ସମୟ ପରେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିଲା ।