ବ୍ରହ୍ମପୁର:ଆରପାରିରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର । 57 ବର୍ଷ ବୟସରେ ସେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେପଟେ ହସ ଖୁସିରେ ରହୁଥିବା ମଣିଷ ଯେ ହଠାତ ଆରପାରିକୁ ଚାଲିଯିବ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପ୍ରିୟଜନ । ତେବେ ଜଗନମୋହନଙ୍କ ପରଲୋକ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସୂଚନା ଅନୁସାରେ, ପ୍ରଥମେ ଘରେ ଛାତି ଯନ୍ତ୍ରଣା ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହସ୍ପିଟାଲରେ ଧର୍ମପତ୍ନୀ ଏବଂ ଝିଅ ଉପସ୍ଥିତ ରହିଥିଲେ । ଏହି ଖବର ଜଣାପଡ଼ିବା ପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ସାମ୍ବାଦିକ, ଆଇନଜୀବୀଙ୍କ ସମେତ ବହୁ ନେତୃବୃନ୍ଦ ପହଞ୍ଚିଛନ୍ତି । ଜଗନମୋହନଙ୍କ ବିୟୋଗ ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସ୍ବର୍ଗତ ମହାପାତ୍ର ବ୍ରହ୍ମପୁରରେ ସକାଳ ଖବରକାଗଜର ସଂସ୍କରଣ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।
ଏହା ମଧ୍ୟ ପଢନ୍ତୁ: ସାମ୍ବାଦିକ ଗଢା କାରଖାନାର ଗୁରୁ ସୁନିଲ ସାର, ପାର୍ଥୀବ ଶରୀର ଦାନ କରି ଅମର