ବ୍ରହ୍ମପୁର: ୧୪ ଦଫା ଦାବି ନେଇ ବ୍ରହ୍ମପୁର ସହରର ବିସିସି ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାଥମିକ ସମବାୟ ସମିତିର ୨୫୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ କର୍ମଚାରୀ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଉପଯୋଗୀ ଯୋଜନାକୁ ଗ୍ରାମାଞ୍ଚଳରେ କୃଷକଙ୍କ ନିକଟରେ ପହଞ୍ଚାଇବା, ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ପ୍ରାଥମିକ ସମବାୟ ସମିତି ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲେ ମଧ୍ୟ ଅଦ୍ୟାବଧି ସରକାରୀ କର୍ମଚାରୀର ମାନ୍ୟତା ସହିତ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଏବଂ ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବାକୁ ଦାବି କରାଯାଇଛି । ଚାଷୀଙ୍କ ସହ ଜଡିତ ରହି ସରକାର ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ଟାର୍ଗେଟ ପୂରଣ କରୁଥିବା ଏହି କର୍ମଚାରୀମାନେ ଦୀର୍ଘ ୧୦ ବର୍ଷ ହେଲା ତାଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବାକୁ ଦାବି କରିଆସୁଥିଲେ ମଧ୍ୟ ତାହା ଶୁଣିବାକୁ ସରକାର ନାରାଜ ।
ଏପରିକି ଏମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପରିବର୍ତ୍ତେ ସରକାର ବର୍ତ୍ତମାନ ସେହି ସ୍ଥାନରେ ନୂତନ କର୍ମଚାରୀଙ୍କ ପାଇଁ ପଦବୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିବାରୁ ଏହାକୁ ରଦ୍ଦ କରିବା ସହ କର୍ମ କ୍ଷେତ୍ରରେ ଦେଖାଦେଉଥିବା ଅନେକ ଅସୁବିଧାର ସମାଧାନ କରିବା ପାଇଁ ଦାବି କରିଛି ସଂଘ । ପୂର୍ବରୁ ଏନେଇ ରାଜ୍ୟ ସମବାୟ ସମ୍ପାଦକ ମହାସଂଘର ଡାକରା କ୍ରମେ ସମସ୍ତ ସଦସ୍ୟ ଜିଲ୍ଲାର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଏକ ଦାବିପତ୍ର ଉପ ନିବନ୍ଧକଙ୍କୁ ପ୍ରଦାନ କରିଥିଲେ ।