ବ୍ରହ୍ମପୁର:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏବେ ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି କ୍ରମରେ ଗୋପାଳପୁରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନମଣ୍ଡଳୀର ନାଁ ପଦ୍ମପୁର ହୋଇଥିବାରୁ ପଦ୍ମପୁରବାସୀ ତାର ସମ୍ମାନ ରଖନ୍ତୁ ବୋଲି କହିଛନ୍ତି ପ୍ରଦୀପ ।
ପଦ୍ମପୁରରେ ପଦ୍ମ ଫୁଟାଇ ବିଜେଡିକୁ ଏକ ସନ୍ଦେଶ ଦେବାକୁ ଆହ୍ବାନ୍ ଦେଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି, "ନିର୍ମଳ ଶାସନ ପାଇଁ ଲୋକେ ଚେତାବନୀ ଦିଅନ୍ତୁ । ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରାନ୍ତୁ । ନବୀନ ବାବୁଙ୍କ ପ୍ରଶାସନର ଅହଂକାର ପାଇଁ ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟା ଦେବା ଉଚିତ । ଏଥିପାଇଁ ମୁଁ ପଦ୍ମପୁରବାସୀଙ୍କୁ ଆହ୍ବାନ ଦେଉଛି, ଅନୁରୋଧ କରୁଛି ଯେ, ଓଡିଶାରେ ପରିବର୍ତ୍ତନ ସମୟ ଆସିଗଲାଣି । ନବୀନ ବାବୁଙ୍କ ଏବଂ ତାଙ୍କ ପରିବାରକୁ ୩୧ବର୍ଷ ଧରି ଶାସନ କରିବାକୁ ଜନସାଧାରଣ ଦେଇଛନ୍ତି । ତାଙ୍କ ପ୍ରତି ତାଙ୍କ ପ୍ରତି ଅନ୍ୟାୟ କରିନାହାନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏକଥାକୁ ସେନିଜକୁ ଜାଣିବା ଉଚିତ । ସେ ଦୃଷ୍ଟିରୁ ଯୋ ମୁଖ୍ୟମନ୍ତ୍ରୀ ପବ୍ଲିକର କଥା ଶୁଣିବେ ନାହିଁ । ସାଧାରଣ ଲୋକଙ୍କ କଥା ଶୁଣିବେ ନାହିଁ । ଏମଏଲଏଙ୍କ କଥା ଶୁଣିବେ ନାହିଁ । ପ୍ରଶାସନିକ ଅଧିକାରୀମାନେ ସବୁ କଥାରେ ଡିସିସନ୍ ନେବେ ଆଉ ଅନୁଷ୍ଠାନମାନେ ଦୁର୍ବଳ ହେବେ । ଏବେ ଲୋକେ କଲେକ୍ଟର ଅଫିସ, ଏସପି ଅଫିସକୁ ଡାଉଟ କରୁଛନ୍ତି । ନିରପେକ୍ଷ ତଦନ୍ତ ହେବକି ନାହିଁ । ସମସ୍ତେ ସନ୍ଦେହ କରୁଛନ୍ତି ।" ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଛନ୍ତି । ସେହିପରି ପ୍ରଶାସନିକ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିବା ସହ ଲୋକେ ପ୍ରଶାସନ ଉପରୁ ଆସ୍ଥା ହରାଇଲେଣି ବୋଲି ପ୍ରଦୀପ ବଡ଼ ବୟାନ ଦେଇଛନ୍ତି ।