ବ୍ରହ୍ମପୁର: ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି ।ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଜଣକ ଗୋଟିଏ ବସ୍ର ଡ୍ରାଇଭର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଗତକାଲି ରାତିରେ ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ବସ୍ ସହ ଦୀପକ ନାମକ ଏକ ଘରୋଇ ବସ୍ ଜି. ଦାମଦରପଲ୍ଲୀ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ 5ରୁ ଊର୍ଦ୍ଧ୍ବ ଗୁରୁତର ଆହାତ ହୋଇଥିବା ବେଳେ ବସ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଆସିକା ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ।
ସେଠାରୁ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଦୁର୍ଘଟଣାର ଖବର ପାଇ ଆଖପାଖ ତିନୋଟି ଥାନାର ଥାନା ଅଧିକାରୀଙ୍କ ସମେତ ପୋଲିସ ଟିମ ଓ ଆସିକା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି l
ଏହା ମଧ୍ୟ ପଢନ୍ତୁ- ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ