ବ୍ରହ୍ମପୁର: ବାପଘରୁ ବିଦାୟ ନେଇଛନ୍ତି ମାଆ ବୁଢୀ ଠାକୁରାଣୀ । ୨୮ ଦିନ ପରେ ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଉଦଯାପିତ ହୋଇଛି । ତେବେ ମାଆଙ୍କର ଏହି ଯାତ୍ରା ସମୟରେ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ବିଭିନ୍ନ ରଥ ଓ କଳାକୁଞ୍ଜ । ଝିଲମିଲି ଆଲୋକମାଳାରେ ଝଟକୁଥିବା ସହରର ଶୋଭାବର୍ଦ୍ଧନ କରିଥାଏ ଏହି ରଥ । ସଞ୍ଜ ନଇଁଲେ ବିଭିନ୍ନ ସାହିରେ ଥିବା ରଙ୍ଗୀନ ଆଲୋକମାଳା ଏବଂ ଆକର୍ଷଣୀୟ ରଥ ଓ କଳାକୁଞ୍ଜ ଦେଖିବାକୁ ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଥାନ୍ତି । ମାଆଙ୍କ ଦର୍ଶନଲାଭ କରିବା ସହ ସାହି ପରିକ୍ରମା କରି ଚିତାକର୍ଷକ ରଥ ଓ କଳାକୁଞ୍ଜ ଦର୍ଶନ କରିଥାନ୍ତି । ବିଶ୍ବାସ ରହିଛି, ମାଆ ବୁଢୀ ଠାକୁରାଣୀଙ୍କ ଆଗମନ ସମୟରେ ସ୍ବର୍ଗରୁ ଦେବାଦେବୀ ଓ ପାତାଳପୃଷ୍ଠରୁ ଦାନବମାନେ ମାଆଙ୍କ ଯାତ୍ରାରେ ସାମିଲ ହେବାକୁ ଧରାପୃଷ୍ଠକୁ ଆସିଥାନ୍ତି ଓ ଏହି ରଥାରୁଢ ହୋଇଥାନ୍ତି ।
ଚଳିତ ବର୍ଷ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାର ପ୍ରମୁଖ ଆକର୍ଷଣ ହୋଇଛି ସୁସଜ୍ଜିତ ରଥ ଓ କଳାକୁଞ୍ଜ । ମୁଖ୍ୟତଃ ମାଆଙ୍କ ଯାତ୍ରା ଆରମ୍ଭ ହେବା ପରେ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ମାଆ ନିଜେ ବିଭିନ୍ନ ସାହି ପରିକ୍ରମା କରିବା ସମୟରେ ସହରର ପ୍ରମୁଖ ରଥ ଓ କଳାକୁଞ୍ଜଗୁଡିକୁ ନିମନ୍ତ୍ରଣ କରିଥାନ୍ତି । ନିମନ୍ତ୍ରଣ ପାଇବା ପରେ ମାଆଙ୍କ ପ୍ରିୟର ରଥ କୁହାଯାଉଥିବା ବିଞ୍ଚଣା ଓ ଦୋଳି ରଥ ପ୍ରଥମେ ଉନ୍ମୋଚିତ ହୋଇଥାଏ । ଏହାପରେ ସହରର କାଳୁପାତ୍ର ସାହିର ଜ୍ୱଳାମୁଖି, ଷଣ୍ଡମହାନ୍ତି ସାହିର ଶିବାରୁଢା କାଳୀ ଭଳି କେତେକ ପ୍ରମୁଖ ରଥ ମାଆଙ୍କର ସହଚରୀ ଭାବରେ ଜୀବନ୍ୟାସ ଦିଆଯାଇ ଉନ୍ମୋଚିତ କରାଯାଏ । ଏହିଭଳି ପର୍ଯ୍ୟାୟ କ୍ରମେ ଅନ୍ୟ ରଥଗୁଡିକ ଉନ୍ମୋଚିତ ହୋଇଥାଏ । ଯାତ୍ରାର ଶେଷ ପର୍ଯ୍ୟାୟ ବେଳକୁ ସମସ୍ତ ରଥ ଓ କଳାକୁଞ୍ଜ ଉନ୍ମୋଚନ ପରେ ବ୍ରହ୍ମପୁରର ମାଆଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ବିଭିନ୍ନ ସାହିକୁ ପରିକ୍ରମା କରି ରଥ ଓ କଳାକୁଞ୍ଜଗୁଡିକୁ ଦର୍ଶନ କରିଥାନ୍ତି । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।