ବ୍ରହ୍ମପୁର:ଅଙ୍ଗନବାଡି କର୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣକ ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ବ୍ରହ୍ମପୁର ସହରର ଉପକଣ୍ଠ ଏକ ହୋଟେଲରୁ ମିଳିଛି ତାଙ୍କ ମୃତଦେହ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟରେ ଥିବା ଏକ ହୋଟେଲରୁ ଗତକାଲି (ଶୁକ୍ରବାର) ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ପୁରୀରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ।
ଶୁକ୍ରବାର ସନ୍ଧ୍ୟାରୁ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ସହର ଉପକଣ୍ଠରେ ରହିଥିବା ହୋଟେଲକୁ ଆସିଥିଲେ । ଏହାପରେ ବିଳମ୍ବିତ ରାତିରେ ଅସୁସ୍ଥ ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ପୁରୁଷ ବନ୍ଧୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ମୃତ ଯୁବତୀଙ୍କ ପରିବାର ବର୍ଗ ବିଳମ୍ବିତ ରାତିରେ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲରେ ପହଞ୍ଚିଥିଲେ । ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା ।