ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ‘ପ୍ରୋଜେକ୍ଟ ଦେଶୀ’ର ଶୁଭାରମ୍ଭ ହୋଇଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ବଳରାମପୁର ଗ୍ରାମରେ ‘ପ୍ରୋଜେକ୍ଟ ଦେଶୀ’ର ଶୁଭାରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାମାନଙ୍କୁ କିପରି ଅଧିକ ରୋଜଗାରକ୍ଷମ କରିପାରିବ ଏନେଇ ଏହାର ଆରମ୍ଭ ହୋଇଛି । ଏହା ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକ ଓ ଗଞ୍ଜାମ ବ୍ଲକରେ ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ଏସଏଚଜି ଗ୍ରୁଫ ସଦସ୍ୟାମାନଙ୍କୁ ବ୍ୟକ୍ତିଗତ ଭାବେ ସାମିଲ୍ କରାଯାଇଛି ।
ଓରମାସ, ମିଶନ ଶକ୍ତି, ପ୍ରାଣୀ ସମ୍ପଦ ବିଭାଗର ସହଯୋଗରେ ଓଡିଶା ଜୀବିକା ମିଶନ ପକ୍ଷରୁ ମହିଳାମାନଙ୍କୁ କୁକୁଡା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଦିଆଯାଇଛି । ଯାହା ଫଳରେ ସେମାନେ ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ରୋଜଗାର କରିପାରିବେ । ୧୦ ଜଣ ହିତାଧିକାରୀଙ୍କୁ ଏହାର ସମସ୍ତ ପ୍ରକାର ସାମଗ୍ରୀ ସହ କୁକୁଡାଘର ମଧ୍ୟ ପ୍ରଦାନ କରାଯାଇଛି । ଗୋଟିଏ କୁକୁଡା ଘରେ ୫୦ ଗୋଟି କୁକୁଡା ରହିପାରିବ । ହିତାଧିକାରୀଙ୍କୁ ମନରେଗା ମାଧ୍ୟମରେ ଆଦର୍ଶ କୁକୁଡା ଗୃହ , ୫୦ଟି କୁକୁଡା ଛୁଆ, କୁକୁଡା ଦାନା ଓ ୨ଟି ଫ୍ରିଜର ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି । ତିନି ମାସ ପରେ କୁକୁଡାମାନଙ୍କୁ ବଡ କରି ସବୁଜ ଗଞ୍ଜାମ ପ୍ରଡ୍ୟୁସର କମ୍ପାନୀକୁ ହସ୍ତାନ୍ତର କରାଯିବ । ଫଳରେ ଜଣେ ହିତାଧିକାରୀ ଏହି ୩ ମାସରେ କୁକୁଡା ଚାଷ କରି ୬ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବ ।