ଭଞ୍ଜନଗର: ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୁଷ୍ଟ । ଶିକ୍ଷୟତ୍ରୀ ଜଣକ ଧମକ ଚମକ ଦେଇ ସ୍କୁଲରେ ରାଜୁତି ଚଳାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ଘଟଣା ଦେଖିାବକୁ ମିଳିଛି ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସଭାପତି କିମ୍ବା କମିଟିକୁ ଅଣଦେଖା କରି କାର୍ଯ୍ୟକରୁଛନ୍ତି । କେବଳ ଏତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ବାଡେଇବା ଏବଂ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ସ୍କୁଲରେ ଯୋଗଦେବା ଦିନଠାରୁ ପ୍ରତ୍ୟେକ ଦିନ ପରିଚାଳନା କମିଟି ହେଉ କିମ୍ବା ଦୁଇ ଦିବ୍ୟାଙ୍ଗ ଶିକ୍ଷକ ମଧ୍ୟରେ କଳହ ଲାଗି ରହିଛି ।
ଠିକ ଭାବରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରଷା ଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ଯେଉଁ ସ୍କୁଲରେ ଥିଲେ ସେଠାରେ ମଧ୍ୟ ଅନୁରୂପ ମନମୁଖୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ପୁଣି ପଙ୍କଳସାହି ସ୍କୁଲରେ ପ୍ରତ୍ୟକ ଦିନ ଅଶାନ୍ତି ଲାଗିରହିଛି, ଯଦି ଏଠାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରାନଯାଏ ତାହାହେଲେ ସ୍କୁଲରେ ତାଲା ପଡିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ସେପଟେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ବୟ ରହୁନଥିବା କାରଣରୁ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ହେଉଛି । ଏସମ୍ପର୍କରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଲେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମ୍ପର୍କରେ ଅବଗତ ଅଛନ୍ତି । ପୂର୍ବରୁ ବିଦ୍ୟାଳୟର ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବ ଏଘଟଣାରେ ତଦନ୍ତ ଚାଲିଛି ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ କହିଛନ୍ତି ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ