ବ୍ରହ୍ମପୁର: ସହରାଞ୍ଚଳରେ ରୋଗୀ ସେବାକୁ ଅଧିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ରୋଗୀଙ୍କୁ ଏଠାରେ ସ୍ୱାସ୍ଥସେବା ସହିତ ନିଦାନ ସେବା, ମାଗଣାରେ ଔଷଧ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ରହିଛି ସମସ୍ତ ପ୍ରକାର ଚିକିତ୍ସା ସୁବିଧା । ଦିନକୁ ଦିନ ସହରବାସୀ ଏଭଳି ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ବ୍ରହ୍ମପୁର ସହରରେ ରହିଥିବା 8 ଗୋଟି ଏଭଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକ ସୁବିଧା ଯୋଗାଯିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।
ରେଶମ ସହର ବ୍ରହ୍ମପୁରରେ ଦିନକୁ ଦିନ ରୋଗୀଙ୍କ ଏକ ଭରସା ପାଲଟିବାକୁ ଯାଉଛି ସରକାରଙ୍କ ଦ୍ୱାରା ନବନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ । ସହରର ବିଭିନ୍ନ ସ୍ଥାନରେ ଥିବା ଏଭଳି କେନ୍ଦ୍ରରେ ନିୟମିତ ଭାବରେ ବିଭିନ୍ନ ପ୍ରକାର ରୋଗ ପାଇଁ ସହରର ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ ବିଭିନ୍ନ ବର୍ଗର ରୋଗୀ ମାନେ ଏଠାରେ ସୁବିଧାରେ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି । ଏପରିକି ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ ଏବଂ ବୟସ୍କଙ୍କ ପାଇଁ କେନ୍ଦ୍ରରେ ପରିସ୍କାର ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ମାଗଣାରେ ଔଷଧ ମିଳୁଥିବାରୁ ପ୍ରତେକ ଦିନ ଜମିଥାଏ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିଡ । ଏହାରି ମଧ୍ୟରେ ଏଭଳି ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ରରେ ଖୁବ୍ ଶ୍ରୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଲି ମେଡିସେନ୍ ସେବା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇ-ସଞ୍ଜିବନୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁରର ଏମକେସିଜି ଏବଂ ନଗର ହସପିଟାଲକୁ ରୋଗୀଙ୍କୁ ନପଠାଇ ଭିଡିଓ ମାଧ୍ୟମରେ ଯେପରି ସେବା ପ୍ରଦାନ କରାଯାଇପାରିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।