ଓଡିଶା

odisha

ETV Bharat / state

Chaitra festival: ମାଆ ତାରା ତାରିଣୀଙ୍କ ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି ଜୋରଦାର - ଚୈତ୍ର ପର୍ବ

ଆସନ୍ତା ୧୪ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀ ପୀଠରେ ଆରମ୍ଭ ଚୈତ୍ର ପର୍ବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

ତାରା ତାରିଣୀଙ୍କ ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି ବୈଠକ
ତାରା ତାରିଣୀଙ୍କ ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି ବୈଠକ

By

Published : Mar 3, 2023, 11:15 AM IST

ତାରା ତାରିଣୀଙ୍କ ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଚଳିତ ମାସ ୧୪ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ ହେବ । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଚାରୋଟି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ମାସ ୪ ତାରିଖ ଦିନ ଏହି ପର୍ବ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଚଳିତ ଥର ମାଆଙ୍କ ଦର୍ଶନ ନିମନ୍ତେ ବହୁସଂଖ୍ୟକ ଭକ୍ତ ତଥା ମାନସିକଧାରୀଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ମାଆଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ସହିତ ମୁଣ୍ଡନ ଲାଗି ବିଗତ ବର୍ଷ ଭଳି ଚାରୋଟି ସ୍ଥାନ ସହିତ ଅତିରିକ୍ତ ଅନ୍ୟ ଦୁଇଟି ସ୍ଥାନକୁ ମିଶାଯାଇ ସମୁଦାୟ ୬ ଗୋଟି ସ୍ଥାନ କରାଯିବ ।

ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ସେହିପରି ମନ୍ଦିର ପରିସରରେ ମାଙ୍କଡମାନଙ୍କ ଉପଦ୍ରବ ରୋକିବା ଏବଂ ନିୟମିତ ସେମାନଙ୍କ ମଳ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ତିନିଗୋଟି ସ୍ଥାନରେ ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସହିତ ୬ଟି ସ୍ଥାନରେ ୯ଟି ଟ୍ୟାଙ୍କର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପରିଶ୍ରାଗାର ନିର୍ମାଣ ହେବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ଟି ବସ୍ ନିୟୋଜିତ ହୋଇଥିବାବେଳେ ଚଳିତ ବର୍ଷ ବସ୍‌ ସଂଖ୍ୟା ୧୦କୁ ବୃଦ୍ଧି କରାଯିବ । ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଅଂଶୁଘାତ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବପ୍ରସ୍ତୁତି କରିବାକୁ କୁହାଯାଇଛି ।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ. ଦଳାଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡି.ଆଇ.ବି. ଅଜୟ କୁମାର ମିଶ୍ର, ବ୍ଲକ୍ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପ୍ରସିଦ୍ଧ ଚୈତ୍ର ଯାତ୍ରା ପୂର୍ବରୁ ଦୋଳପୂର୍ଣ୍ଣମା ପରେ ମାଆଙ୍କର ଶୁଭଖୁଣ୍ଟି ସ୍ଥାପନ କରାଯାଇଥାଏ । ଏହାପରେ ନୀତିକାନ୍ତି ଅନୁଯାୟୀ ଆୟୋଜିତ ହୋଇଥାଏ ମାଆଙ୍କ ଯାତ୍ରା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details