ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପ୍ରତିଷ୍ଠା ଉସବ ଆସନ୍ତା ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବର ସହକାରେ ପାଳନ କରାଯିବ । ଏଥିସକାଶେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ବୈଠକରେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ପୀଠ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ୫୦ କୋଟିର କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବାକୁ ଯାଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରୁ ଏହି ମନ୍ଦିର ତାର ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିପାରିଛି ।
ଏହି ଅବସରରେ PWD ଓ ଆରଡିଙ୍କର ଅବଦାନକୁ ଧନ୍ୟବାଦ ଜଣାଇଥିଲେ । ମନ୍ଦିରର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୬ ଦିନ ବ୍ୟାପୀ ବିଭିନ୍ନ ନିତିକର୍ମ ଦ୍ଵାରା ଆୟୋଜନ ହେବ । କେଉଁଦିନ କେଉଁ ନୀତି ହେବ, କେଉଁମାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ, ଯାତ୍ରା ସମୟରେ କେଉଁଭଳି ବ୍ୟବସ୍ଥାମାନ ସର୍ବସାଧାରଣଙ୍କ ସୁବିଧା ଦୃଷ୍ଟିରୁ କରାଯାଇଥିଲା ସେହି ସମସ୍ତ ବ୍ୟବସ୍ଥା କରାଯିବ । ୫ ଲକ୍ଷରୁ ୭ଲକ୍ଷ ଜନଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ, ତଥା କୋଭିଡର ପ୍ରକୋପ ସମ୍ଭାବନା ହେତୁ ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ନିମନ୍ତ୍ରଣ ନକରି କେବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦାଗଣ ଉକ୍ତ ପ୍ରତିଷ୍ଠା ଉସବରେ ସାମିଲ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ପୁରୀ ମନ୍ଦିରର ମୁକ୍ତି ମଣ୍ଡପର ସ୍ବୀକୃତି ଆବଶ୍ୟକ ହେବ । ଗଞ୍ଜାମ ଜିଲ୍ଲାର ୬ ଗୋଟି ତାଲୁକାର ରାଜ ପଣ୍ଡିତ ବର୍ଗଙ୍କୁ ନିମନ୍ତ୍ରଣ ରହିବ । ଏହି ଉତ୍ସବ ପାଳନ ସକାଶେ ବିଭିନ୍ନ କମିଟି ଗଠନ କରି ଶାନ୍ତିଶୃଙ୍ଖଳାର ସହିତ ଏବଂ ଦୁର୍ଘଟଣା ବିହୀନ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ ।