ଓଡିଶା

odisha

By

Published : Dec 14, 2022, 12:28 PM IST

ETV Bharat / state

ଆସନ୍ତା ୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଚଳିତ ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ, ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ, ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ସ୍ଥିତ ସର୍କିଟ ହାଉସ୍ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ ।

ତେବେ ଏହି ବେଳାଭୂମି ମହୋତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜିତ ହୋଇପାରିବ ସେନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ଖସଡା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ କୁହାଯାଇଛି । ଦୁଇ ବର୍ଷର ବ୍ୟବଧାନ ପରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ଏଣୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଛନ୍ତି । ବ୍ରହ୍ମପୁର ଓ ଛତ୍ରପୁର ଦେଇ ଗୋପାଳପୁରକୁ ଆସୁଥିବା ଦର୍ଶକ ଗୋପାଳପୁର ନିକଟସ୍ଥ ହରିପୁର ରାସ୍ତା ଦେଇ କିଭଳି ବିନା ଅସୁବିଧାରେ ଗୋପାଳପୁର ଆସିପାରିବେ ସେ ଦିଗରେ ବ୍ୟବସ୍ଥା କରାଯିବ । ଲୋକଙ୍କ ଯାତାୟତ ପାଇଁ ମରାମତି ହେଉଥିବା ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି ।

ହରିପୁର ଠାରେ ଦୁଇ ଚକିଆ ଯାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ହେବ । ସେହିଠାରୁ ଲୋକେ ବ୍ରିଜ୍ ରାସ୍ତା ଦେଇ ମହୋତ୍ସବକୁ ଯିବେ । ଗୋପାଳପୁର ବସଷ୍ଟାଣ୍ଡ, ଷଣ୍ଢ ଛକ ଠାରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବ । ପାର୍କିଂସ୍ଥଳରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯିବ । ପଲ୍ଲିଶ୍ରୀ ମେଳା ପାଇଁ ଆସୁଥିବା ସ୍ବୟଂ ସହାୟକ ଗୋଷ୍ଠୀ, ସାଧାରଣ ମେଳାର ମେଳା ଆୟୋଜକ ଏବଂ କଳାକାର ମାନଙ୍କ ରହିବା ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ସଫେଇ କାର୍ଯ୍ୟ, ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ପରିଶ୍ରାଗାର, ରାସ୍ତାର ପାର୍ଶ୍ବ ଆଲୋକୀକରଣ, ବାରିକେଡ୍ ବ୍ୟବସ୍ଥା, ପ୍ରଚାର ପ୍ରସାର, ଯାତାୟତ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ମୀନା ବଜାର, ସ୍ମରଣୀକା ପ୍ରକାଶନ, କଳାକାର ଚୟନ ଇତ୍ୟାଦି ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ସ୍ତରରେ କେଉଁ ସବୁ ପଦକ୍ଷେପମାନ ଏଯାବତ୍ ଗ୍ରହଣ କରିଛନ୍ତି ତାହା ଜିଲ୍ଲାପାଳ ପଚାରି ବୁଝିଥିଲେ । ଚଳିତ ବର୍ଷର ମହୋତ୍ସବ କିଭଳି ଆକର୍ଷଣୀୟ ହେବ ଏବଂ ଜନସାଧାରଣ ଭରପୁର ମଜା ନେଇପାରିବେ ସେ ସମସ୍ତ ବ୍ୟବସ୍ଥା ଦିଗରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି । ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗଞ୍ଜାମର ଲୋକକଳା ପରିବେଷଣକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମର ଲୋକକଳା ପରିବେଷଣ ପାଇଁ ଚଳିତବର୍ଷ ଏକ ସ୍ବତନ୍ତ୍ର ମଞ୍ଚ ଦିଆଯିବ । ସେମାନେ ସନ୍ଧ୍ୟା ୫ରୁ ରାତି ୯ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ ।

ଏହି ବୈଠକରେ ବ୍ରହ୍ମପୁର ଏସପି ଏମ୍ ଶ୍ରବଣ ବିବେକ୍ ଟ୍ରାଫିକ୍ ବ୍ୟବସ୍ଥାକୁ କିପରି ପରିଚାଳନା କରି ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସିଂ ପ୍ରଥମ ବୈଠକ ପରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ବୈଠକରେ ଅବଗତ କରାଇବା ସହ ଚଳିତ ବର୍ଷ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସମସ୍ତ ପଦକ୍ଷେପ ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ । ବୈଠକରେ ଜିଲ୍ଲା ସହର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details