ଓଡିଶା

odisha

ETV Bharat / state

ଆରପାରିରେ ପୋଷା କୁକୁର ଡୁଗୁ, ଚିକିତ୍ସା ଅବହେଳା ଅଭିଯୋଗରେ ଥାନାର ଦ୍ବାରସ୍ଥ ପରିବାର - ଡୁଗୁକୁ ଝୁରୁଛି ପରିବାର

କେତେକ ସ୍ଥାନରେ ମଣିଷ ମଣିଷର ମୃତଦେହକୁ ସମ୍ମାନ ଦେଉନଥିବା ବେଳେ ଏଠି କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ପୋଷା କୁକୁରର ମୃତ୍ୟୁ ପରେ ରୀତିନୀତି ଅନୁସାରେ ହୋଇଛି ଅନ୍ତିମ ସଂସ୍କାର(Pet dog Dugu died in Bhanjanagar) । ଅନ୍ୟପକ୍ଷରେ ଚିକିତ୍ସା ଅବହେଳାରୁ ପୋଷା କୁକୁରର ମୃତ୍ୟୁ ହୋଇଥିବାରୁ ନ୍ୟାୟ ଦାବିରେ ପ୍ରଥମେ ଭଞ୍ଜନଗର ଥାନା ପରେ ଗଞ୍ଜାମ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଦେଖନ୍ତୁ ଏହି ରିପୋର୍ଟ

ଆରପାରିରେ ପୋଷା କୁକୁର ଡୁଗୁ, ଚିକିତ୍ସା ଅବହେଳା ଅଭିଯୋଗରେ ଥାନାର ଦ୍ବାରସ୍ଥ ପରିବାର
ଆରପାରିରେ ପୋଷା କୁକୁର ଡୁଗୁ, ଚିକିତ୍ସା ଅବହେଳା ଅଭିଯୋଗରେ ଥାନାର ଦ୍ବାରସ୍ଥ ପରିବାର

By

Published : Oct 23, 2022, 9:14 PM IST

ଭଞ୍ଜନଗର: କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ସମାଧି ପାଖରେ ବସି ପୋଷା କୁକୁର ଡୁଗୁକୁ ଝୁରୁଛି ପରିବାର(Pet dog Dugu died in Bhanjanagar) । ୪ ଦିନ ଘରେ ଖିଆପିଆ ନାହିଁ । ଯେମିତି ପରିବାର ଲୋକଟିର ମୃତ୍ୟୁ ପରେ ଘରେ ଶୂନ୍ୟ ସ୍ଥାନ ପଡିଯାଏ ସେହିପରି ପୋଷା କୁକୁରର ମୃତ୍ୟୁ ପରେ ମଧ୍ୟ ଏଠାରେ ସମାନ ସ୍ଥିତି । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମରେ । ଗାଁର ସାବିତ୍ରୀ ଡାକୁଆଙ୍କ ପୋଷା କୁକୁର ଡୁଗୁର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁଁ ଏପରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହିତ ଗଞ୍ଜାମ ଏସପିଙ୍କ ନିକଟରେ ସେ ଲିଖିତ ଅଭିଯୋଗ କରିଛନ୍ତି ।

ଆରପାରିରେ ପୋଷା କୁକୁର ଡୁଗୁ, ଚିକିତ୍ସା ଅବହେଳା ଅଭିଯୋଗରେ ଥାନାର ଦ୍ବାରସ୍ଥ ପରିବାର

ଡୁଗୁ ମୃତ୍ୟୁରେ ମ୍ରିୟମାଣ

ପୋଷା କୁକୁର ଡୁଗୁ ଥିଲା ଘରର ସାନ ପୁଅ । ପାଞ୍ଚ ବର୍ଷ ହେଲା ତାକୁ ଅତି ଯତ୍ନ ଓ ସ୍ନେହରେ ପାଳିଥିଲେ ସାବିତ୍ରୀ ଡାକୁଆ ତାଙ୍କ ସ୍ୱାମୀ ଗଣପତି ଡାକୁଆ । ଗତ ୧୭ ତାରିଖ ସୋମବାର ଦିନ ଡୁଗୁର ଦେହ ଅସୁସ୍ଥ ହେବାରୁ ଭଞ୍ଜନଗରରେ ପ୍ରାଣୀ ଚିକିତ୍ସା କରାଇଥିଲେ । ସେଠାରେ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଥିଲା । ଭଲ ହୋଇଯିବ କହି ଡାକ୍ତର ଘରକୁ ପଠାଇଦେଇଥିଲେ । ଘରକୁ ଆସିବାର କିଛି ଘଣ୍ଟା ପରେ ଡୁଗୁ ମୃତ୍ୟୁ ହୋଇଥିଲା । ପ୍ରାଣୀ ଚିକିତ୍ସକ କୃଷ୍ଣଚନ୍ଦ୍ର ଗୌଡ଼ ଚିକିତ୍ସାରେ ଅବହେଳା ଓ ଭୁଲ୍‌ ଇଞ୍ଜେକ୍ସନ ଦେଇ ଥିବାରୁ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ଥାନା ବାବୁ କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ଚୁପ ରହିଯାଇଥିଲେ । ପରେ ପରିବାର ନ୍ୟାୟ ପାଇଁ ଗଞ୍ଜାମ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା କହିଛନ୍ତି ।


ଏହା ବି ପଢନ୍ତୁ- UNWGIC 2022: ବ୍ରହ୍ମପୁରର ୨ ଛାତ୍ରଙ୍କୁ ଅନ୍ତର୍ଜାତୀୟ ସମ୍ମାନ, ଭାଗ ନେଇଥିଲେ ଦେଶର ୧୮ ସ୍କୁଲ

ଡୁଗୁକୁ ଝୁରୁଛନ୍ତି ସାବିତ୍ରୀ

ପୋଷା କୁକୁର ଡୁଗୁ ପ୍ରତିଦିନ ସକାଳୁ ଉଠି ଚା' ପିଇବା ପରେ କ୍ଷୀର, ଚୂଡା, ବିସ୍କୁଟ ଖାଉଥିଲା । ପାଖରେ ବସୁଥିଲା, ଖେଳୁଥିଲା ଓ ମମତାର ଡୋରିରେ ବାନ୍ଧି ହୋଇ ରହିଥିଲା । ସାବିତ୍ରୀଙ୍କ ଗୋଟିଏ ଲେଖାଏଁ ପୁଅ ଓ ଝିଅ । ହେଲେ ପୁଅକୁ ୧୨ ବର୍ଷ ହୋଇଥିବା ବେଳେ ବ୍ରେନ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ହୋଇଥିଲା । ସେହିଦିନ ଠାରୁ ବ୍ରହ୍ମପୁରର ଜଣେ ମହିଳାଙ୍କ ପାଖରୁ ଡୁଗୁକୁ ଆଣିଥିଲେ ସାବିତ୍ରୀ । ତାକୁ ନିଜ ସାନ ପୁଅ କରି ରଖିଥିଲେ । ହେଲେ ଦଇବ ଦାଉ ସାଧିଲା ଭଳି ଡୁଗୁକୁ ପାଖରୁ ଛଡାଇ ନେଇଛି । ନ୍ୟାୟ ମିଳିବ ଭାବି ଡୁଗୁର ମୃତଦେହକୁ ୪ ଦିନ ଘରେ ରଖିଥିଲେ ପରିବାର । ଭାବିଥିଲେ ପୋଷ୍ଟମର୍ଟମ କରିବା ପରେ ମୃତ୍ୟୁର କାରଣ ଜଣାପଡିବ । କିନ୍ତୁ ସବୁଠି ଗୁହାରି ପରେ ବି ସମସ୍ତେ ତାଙ୍କ କଥାକୁ ହସରେ ଉଡାଇ ଦେଇଥିବା ସେମାନେ କହିଛନ୍ତି ।

ଡୁଗୁ ଯିବା ପରେ...

ଏହାପରେ ପରିବାର ରୀତିନୀତି ସହିତ ୪ଦିନ ପରେ ଘର ବାଡ଼ିରେ ଡୁଗୁର ଅନ୍ତିମ ସଂସ୍କାର କରିଛନ୍ତି । ପରମ୍ପରା ଅନୁଯାୟୀ ସମାଧି ପାଖରେ ଫୁଲ ଚନ୍ଦନ ଦେଇ କ୍ରିୟାକର୍ମ କରିଛନ୍ତି । ଡୁଗୁର ଚା', କ୍ଷୀର, ଚୂଡ଼ା, ବିସ୍କୁଟ ସବୁ ପାଖରେ ରଖି ଭୋ ଭୋ ହୋଇ କାନ୍ଦୁଛି ପରିବାର । ଡୁଗୁର ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଛି । ଏଣୁ ତଦନ୍ତ କରି ଡୁଗୁକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ପରିବାର l ଅନ୍ୟପଟେ ପ୍ରାଣୀ ଚିକିତ୍ସକ କହିଛନ୍ତି, "ପୋଷକୁକୁର ମୃତ୍ୟୁରେ ମୁଁ ମଧ୍ୟ ଦୁଃଖିତ । ସେମାନେ ଯେତେବେଳେ ଡୁଗୁକୁ ନେଇ ଆସିଥିଲେ ସେତେବେଳେ କୁକୁର ପ୍ରତି ତାଙ୍କର ସ୍ନେହ ଓ ଭଲ ପାଇବା ବାରି ହୋଇପଡୁଥିଲା । ତେବେ ରୋଗର ଲକ୍ଷଣକୁ ଦେଖି ସମସ୍ତ ପ୍ରକାର ଔଷଧ ଦିଆଯାଇଥିଲା । ବଞ୍ଚାଇବାକୁ ବହୁ ଚେଷ୍ଟା ପରେ ବି ତାର ମୃତ୍ୟୁ ହୋଇଛି । ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇନାହିଁ ।"

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details