ଗଞ୍ଜାମ: ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଲେ ଡକାୟତ ଗ୍ୟାଙ୍ଗ୍(Patapur Police arrested a dacoit gang ) । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ଗ୍ରାମରେ ଛକି ବସିଥିଲେ ଡକାୟତ ଦଳ । ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ ଏକତ୍ରିତ ହୋଇ ଏମାନେ ରାଜପଥ ଉପରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଶେଷରେ ପୋଲିସ ହାତରେ ଧରାପଡି ଜେଲ ଗଲେ ଡକାୟତ ଗ୍ୟାଙ୍ଗ ।
ସୂଚନା ଅନୁଯାୟୀ, କେତେକ ଅସାମାଜିକ ଯୁବକ ଗତକାଲି ବିଳମ୍ବିତ ରାତିରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି. ରାମଚନ୍ଦ୍ରପୁର ଯାତ୍ରୀ ବିଶ୍ରାମଗାରରେ ଏକତ୍ରିତ ହୋଇ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ । ଏନେଇ ଖବର ପାଇଥିଲା ପାଟପୁର ପୋଲିସ । ଏହାପରେ ଯୋଜନା ମୁତାବକ ପୋଲିସ ଚାରିପଟୁ ଘେରିଯାଇ ଅତର୍କିତ ଭାବେ ଚଢ଼ାଉ କରି ଡକାୟତଙ୍କୁ ମାଡ଼ି ବସିଥିଲା । ପୋଲିସର ଚଢ଼ାଉ ବେଳେ ଦୁଇଜଣ ଡକାୟତ ସେରଗଡ଼ ରାସ୍ତାରେ ଫେରାର୍ ହୋଇଯାଇଥିଲେ । ତେବେ ମୋଟ ୧୦ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ, ୭ଟି ଖଣ୍ଡା, ୬ଟି ବୋମା, ୨ଟି ସାଇକେଲ୍ ଚେନ୍, ମହମବତୀ, ଦିଆସିଲି , ପ୍ଲାଷ୍ଟିକ ଗ୍ଳାସ , ଲଙ୍କାଗୁଣ୍ଡ ୭ଟି କଳା ମୁଖା ଜବତ ହୋଇଛି । ଜବତ ହୋଇଥିବା ଦୁଇଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ବାଇକ୍ ନମ୍ବର ବିହୀନ ରହିଛି । ଏହି ବାଇକ କାହାର ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।