ବ୍ରହ୍ମପୁର: ଆଉ ଦିନ କେଇଟା ପରେ ଦେଶ ପାଳିବ ୭୪ତମ ଗଣତନ୍ତ୍ର ଦିବସ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଗଣତନ୍ତ୍ର ଦିବସ ପାଳନ କରିବେ ଦେଶବାସୀ । ଜିଲ୍ଲା ସ୍ତରରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ସବୁଠି ଜୋରସୋର ଜାରି ରହିଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ କଲେଜ ଗୁଡିକରେ ପରେଡ ରିହଲର୍ସଲ ଜାରି ରହିଛି । ବ୍ରହ୍ମପୁରରେ ମଧ୍ୟ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ କଟକଣା ପରେ ଗତ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବ୍ରହ୍ମପୁରରେ ଗଣତନ୍ତ୍ର ଦିବସରେ ପରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରେଡ଼ କରିବାର ସୁଯୋଗ ପାଇଥିବାରୁ ବେଶ ଖୁସି ଅଛନ୍ତି ।
ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ରହିଥିବା ସାମୁହିକ ପ୍ୟାରେଡ଼ ଉତ୍ସବରେ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମେତ ଉଭୟ ଜୁନିୟର ଓ ସିନିୟର ବିଭାଗର ସ୍କାଉଟ ଓ ଗାଇଡ ଏବଂ ପୋଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୩୪ଟି ଦଳ ମିଳିତ ପରେଡ଼ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଚଳିତବର୍ଷ ପ୍ୟାରେଡ଼କୁ ଯେପରି ଆକର୍ଷଣୀୟ କରାଯିବ ସେନେଇ ସମସ୍ତ ଦଳ ବେଶ ଉତ୍ସାହିତ ହୋଇପଡିଥିବା ଦେଖାଯାଇଛି । ଏହି ଅବସରରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଜୋରସୋରେ ପ୍ରସ୍ତୁତି ଜାରି ରହିଛି ।