ଓଡିଶା

odisha

By

Published : May 17, 2023, 11:04 PM IST

ETV Bharat / state

ଆସିକା ଥାନା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଦ୍ୱିତୀୟ’, ଆଫ୍ରିକାରେ ମିଳିଲା ଶ୍ରେଷ୍ଠ ପୁରସ୍କାର

ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ଗଞ୍ଜାମ ଜିଲ୍ଲାର ଆସିକା ଥାନା ଉପରେ ଆଧାରିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଅଦ୍ୱିତୀୟ'କୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର । ଅଧିକ ପଢ଼ନ୍ତୁ

odia short film adwitiya
କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୱିତୀୟକୁ ଶ୍ରେଷ୍ଠ ପୁରସ୍କାର

Video Courtesy @DK FILM PRESENTS

ବ୍ରହ୍ମପୁର: ବିଶ୍ବ ଦରବାରରେ ଚମକିଲା ଆସିକା ଥାନା । ସାରା ଭାରତରେ ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ଗଞ୍ଜାମ ଜିଲ୍ଲାର ଆସିକା ଥାନା ଉପରେ ଆଧାରିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଅଦ୍ୱିତୀୟ'କୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର । ଆଫ୍ରିକା ମହାଦେଶର ମରିସସ୍ ଫିଲ୍ମ ଡେଭେଲପମେଣ୍ଟ ଆସୋସିଏସନ୍ ଏବଂ IOFAର ମିଳିତ ସହଯୋଗରେ ପୋର୍ଟ ଲୁଇସ୍ ଠାରେ ଥିବା ଇନ୍ଦିରା ଗାନ୍ଧୀ ସେଣ୍ଟର୍ ଫର୍ ଇଣ୍ଡିଆନ୍ କଲଚରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ସମାରୋହରେ ଅଦ୍ୱିତୀୟ'କୁ ଦୁଇଟି ବର୍ଗରେ ପୁରସ୍କାର ମିଳିଛି ।

ଗଞ୍ଜାମ ଜିଲ୍ଲାର ଆସିକା ଥାନା ଓ ତାହାର ସେବା ସଂପର୍କରେ ପ୍ରସ୍ତୁତ କରାଯାଇଛି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଅଦ୍ୱିତୀୟ' । ଜିଲ୍ଲାର ହିଞ୍ଜିଳିକାଟୁ ସ୍ଥିତ ନୃତ୍ୟମ କଳା ଗବେଷଣା କେନ୍ଦ୍ର ପକ୍ଷରୁ ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ରର ମୂଳ ବିଷୟବସ୍ତୁ ହେଲା ଆଇନ ଶୃଙ୍ଖଳା ଓ ମାନବିକତା । ଆସିକା ଥାନା ଠାରୁ ଆରମ୍ଭ କରି ହିଞ୍ଜିଳିକାଟୁ ଓ ଶେରଗଡ଼ ଥାନାର ଦୃଶ୍ୟକୁ କାହାଣୀରେ ସ୍ଥାନ ଦିଆଯାଇଛି । ସ୍ଥାନୀୟ କଳାକାରଙ୍କ ନିଚ୍ଛକ ଅଭିନୟ ମାଧ୍ୟମରେ ପୋଲିସର ବିଚାରଧାରା ଏବଂ ଜନସାଧାରଣଙ୍କ ଆଭିମୁଖ୍ୟକୁ କାହାଣୀରେ ଦର୍ଶାଯାଇଛି । ଯାହା ଆଜି ବିଦେଶ ମାଟିରେ ସଫଳତା ପାଇଛି । ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଅଦ୍ୱିତୀୟ'କୁ ଦୁଇଟି ବର୍ଗରେ ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପାଇଁ 'ଅଦ୍ୱିତୀୟ' ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ କ୍ରିଷ୍ଣା ଡି.କେ.ଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଶ୍ରେଷ୍ଠ କାହାଣୀ ପାଇଁ ଲେଖକ ସୀମାଞ୍ଚଳ ମହାରଣାଙ୍କୁ ପୁରସ୍କୃତ କରାଯାଇଛି ।


ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ସମତେ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଭଳି ବିଶ୍ଵର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦେଶର ଫିଲ୍ମ ନିର୍ମାତା ଭାଗ ନେଇଥିଲେ । ଯେଉଁଥିରେ ପ୍ରାୟ ୬ଟି ଦେଶର ପ୍ରତିଯୋଗୀ ପୁରସ୍କାର ଲାଭ କରିଥିଲେ । ସେପଟେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ସେଣ୍ଟ ଆନିମେସନର ଦୃଶ୍ୟ ଚଳଚ୍ଚିତ୍ରକୁ ଅଧିକ ଆକର୍ଷଣୀୟ କରିଥିଲା । ବିଦେଶ ମାଟିରେ ଦୁଇ ଓଡ଼ିଆ ପୁରସ୍କୃତ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଷ୍ଣା ଡ଼ି.କେ ଓ ଆଦ୍ଵିତୀୟ ଟିମଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି l ଏହି ସଫଳତା ପାଇ ଟିମର ସଦସ୍ୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଦେଶ ମାଟିରେ ପୁରସ୍କାର ପାଇ ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଗର୍ବ ଆଣିଛି ଚଳଚ୍ଚିତ୍ର ଅଦ୍ୱିତୀୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details