ଭଞ୍ଜନଗର:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ଅସହାୟ ପରିବାର । ପାଲ ତଳେ ବିତୁଛି ଦୁଇ ଶିଶୁଙ୍କ ସମେତ 4 ପ୍ରାଣୀ କୁଟୁମ୍ବଙ୍କ ଜୀବନ । ଏପରି ଏକ ଅସହାୟ ପରିବାରର ଦୁର୍ଦ୍ଦଶାର କରୁଣ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ତତାବାଲି ଗ୍ରାମରେ । ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର ପଣ୍ଡାଙ୍କ ପରିବାର ଏବେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ପାଲ ତଳେ ରହୁଛନ୍ତି ।
ଗାଁରେ ଦୁଇ ପୁଅ ଓ ସ୍ତ୍ରୀ ଝୁନୁ ପଣ୍ଡାଙ୍କୁ ନେଇ ରୁହନ୍ତି ନରେନ୍ଦ୍ର। ନରେନ୍ଦ୍ରଙ୍କୁ ଠିକ ଭାବେ ଦେଖାଯାଉ ନଥିବାରୁ ସେ କାମଧନ୍ଦା କରିପାରୁ ନାହାନ୍ତି। ଏପରି ସମୟରେ ତାଙ୍କ ପରିବାର ବାରମ୍ବାର ବନ୍ୟା, ବାତ୍ୟାର ସମ୍ମୁଖୀନ ହୋଇ ପଲଥିନ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଏହି ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇ ପାରି ନାହାନ୍ତି ନରେନ୍ଦ୍ର । କେବଳ ସରକାରୀ ରାସନ କାର୍ଡରେ ମିଳୁଥିବା 35 କେଜି ଚାଉଳରେ ଅତି ଦୟନୀୟ ଅବସ୍ଥାରେ ଚାଲୁଛି ପରିବାର l ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ମଧ୍ୟ ଘର ଖଣ୍ଡେ ପାଇବାକୁ ସକ୍ଷମ ହୋଇ ନାହାନ୍ତି ନରେନ୍ଦ୍ର । ଅନ୍ୟପଟେ ପରିବାରର ଏହି ଦୁରାବସ୍ଥା ମଧ୍ୟରେ ଦୁଇ ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଗଲାଣି।