ଓଡିଶା

odisha

ETV Bharat / state

ସକାଳୁ ସରକାରୀ କାର୍ଯ୍ୟାଳୟ ଖାଲି, କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ - ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ

ମନ୍ତ୍ରୀ ନିଜେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟର ଗୋଟିଏ ପରେ ଗୋଟିଏ କୋଠରୀକୁ ବୁଲି ବୁଲି ଦେଖିଥିଲେ । ହେଲେ କାହାରିକୁ ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 31, 2019, 6:33 AM IST

ବ୍ରହ୍ମପୁର: ସମୟ ସକାଳ ସାଢେ 10ଟା । ସ୍ଥାନ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ । ହଠାତ ତଦାରଖରେ ପହଞ୍ଚିଲେ ମନ୍ତ୍ରୀ । କୋଠରୀ ପରେ କୋଠରୀ ବୁଲିଗଲେ । ହେଲେ ଜଣେ ବି କର୍ମଚାରୀଙ୍କ ନଥିଲା ଦେଖା । ଖାଲି କୋଠରୀ ଦେଖି ବିଗିଡିଗଲେ ମନ୍ତ୍ରୀ । ଆଉ ଦେଲେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହା ହେଉଛି ଗଞ୍ଜାମର ହୁମାରୀ ଠାରେ ଥିବା ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ)ଙ୍କ କାର୍ଯ୍ୟାଳୟର ଦୃଶ୍ୟ । ଶୁକ୍ରବାର ରାଜ୍ୟ କୃଷି, ମତ୍ସ୍ୟ ସମ୍ପଦ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଅରୁଣ କୁମାର ସାହୁ କାର୍ଯ୍ୟାଳୟ ଗସ୍ତରେ ଯାଇଥିଲେ । ଦିନ ସାଢେ ୧୦ଟା ସମୟରେ ସେ ସେଠାରେ ପହଞ୍ଚିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦେଖିବାକୁ ପାଇନଥିଲେ ।

ମନ୍ତ୍ରୀ ନିଜେ କାର୍ଯ୍ୟାଳୟର ଗୋଟିଏ ପରେ ଗୋଟିଏ କୋଠରୀକୁ ବୁଲି ବୁଲି ଦେଖିଥିଲେ । ହେଲେ କାହାରିକୁ ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରୀଙ୍କ ସହ ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ବାକି କର୍ମଚାରୀ ଅନୁପସ୍ଥିତ ଥିଲେ ।

ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନୁଯାୟୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରଶ୍ନ ଉଠୁଛି ସରକାର ଜନତାଙ୍କ ନିକଟତର ହେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ସ୍ଥିତି ଏପରି ତେବେ ଦୁର୍ଗମ ଅଞ୍ଚଳର ଚିତ୍ର ସହଜେ ଅନୁମେୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details