ବ୍ରହ୍ମପୁର:ରେଶମ ସହର ବ୍ରହ୍ମପୁରରେ ଥିବା ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆରାଧ୍ୟା ଦେବୀ ମା' ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଶାରଦୀୟ ପୂଜା କରାଯାଉଛି । ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ପାଇଁ ସାରା ରାଜ୍ୟରେ ଏକ ପରିଚୟ ସୃଷ୍ଟି କରିଥିବା ରେଶମ ସହର ବ୍ରହ୍ମପୁରରେ ବହୁ ଆଡମ୍ବରରେ କରାଯାଏ ମା'ଙ୍କ ପୂଜାର୍ଚ୍ଚନା । ପାରମ୍ପରିକ ରୀତିନୀତି ଅନୁଯାୟୀ ଚଳିତବର୍ଷ ମଧ୍ୟ ମା'ଙ୍କ ପୀଠରେ ନବରାତ୍ର ପୂଜା ଆୟୋଜିତ ହୋଇଥିବାବେଳେ ଭକ୍ତମାନେ ପୀଠରେ ମା'ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ।
ପ୍ରତ୍ୟେକ ବର୍ଷ ମହାଳୟା ଅମାବାସ୍ୟ ପ୍ରତିପଦା ତିଥିରେ ମା'ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇ ପ୍ରତ୍ୟେକ ଦିନ ସମସ୍ତ ପ୍ରକାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। "ସକାଳର ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜାଠାରୁ ଆରମ୍ଭ କରି ରାତିର ଚଣ୍ଡୀପାଠ କରାଯାଏ । ନବରାତ୍ର ପୂଜା ସମୟରେ ମା'ଙ୍କୁ ପ୍ରାତଃ ସମୟରୁ ମଙ୍ଗଳଆଳତୀ, ବାଳଭୋଗ, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ" ବୋଲି କହିଛନ୍ତି ମା' ବୁଢୀ ଠାକୁରାଣୀ ମନ୍ଦିରର ମୁଖ୍ୟ ପୂଜକ ମନୋଜ କୁମାର ଗନ୍ତାୟତ । କିମ୍ବଦନ୍ତୀ ଅନୁଯାୟୀ, ତତ୍କାଳୀନ ମହୁରୀ ରାଜାଙ୍କ ଶାସନ କାଳରେ ପଡୋଶୀ ରାଜ୍ୟରୁ ଆସିଥିବା ଡେରା ସମ୍ପ୍ରଦାୟର ଲୋକମାନେ ମା'ଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥିବା କୁହାଯାଏ । ସେପଟେ ବର୍ଷ ତମାମ ରାଜ୍ୟ ତଥା ଦେଶରୁ ଭକ୍ତମାନେ ମା'ଙ୍କୁ ଦର୍ଶନ କରିବାକୁ ଭିଡ ଜମାଉଥିବାବେଳେ ନବରାତ୍ର ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ ।