ବ୍ରହ୍ମପୁର:ପୁଣି ଥରେ ଧରାପଡିଲା ଲକ୍ଷ ଲକ୍ଷ ଟଙ୍କା । ଗଞ୍ଜେଇ ଧରପଗଡ଼ ବେଳେ ଧରାପଡ଼ିଲା ନଗଦ 33ଲକ୍ଷରୁ ଅଧିକ ଟଙ୍କା । ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ହାବୁଡ଼ରେ ପଡିଲା 33ଲକ୍ଷ 66ହଜାର ନଗଦ ଟଙ୍କା । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ବସରେ ଗଞ୍ଜେଇ ତନଖି ବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଯାଂଚ କରିଥିଲେ । ହେଲେ ବ୍ୟାଗ ଯାଂଚ ବେଳେ ଧରାପଡିଲା ବିଡ଼ା ବିଡ଼ା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ । ହେଲେ କଥାରେ ତାଳମେଳ ନଥିବାରୁ ଟଙ୍କା ସହ ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ ।
ସୂଚନା ଅନୁଯାୟୀ, ଖବର ମିଳିଲା ଚୋରାରେ ଗଞ୍ଜେଇ ଯାଉଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗୀୟ ଅଧିକାରୀ ହଠାତ୍ ସଜାଗ ହୋଇଗଲେ । ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଆରମ୍ଭ ହେଲା ଯାନବାହାନ ତନଖି । ବ୍ରହ୍ମପୁରରୁ କଟକ ଯାଉଥିବା ଘରୋଇ ବୀଣାପାଣି ବସ୍କୁ ଅଟକେଇ ଯାଂଚ କରୁଥିଲେ ଅବକାରୀ ଗୁଇନ୍ଦା ଟିମ । ଗଞ୍ଜେଇ ମିଳିଲାନି ହେଲେ ଜଣେ ଯାତ୍ରୀଙ୍କ ବ୍ୟାଗ୍ ଯାଂଚ ବେଳେ ବିଡ଼ା ବିଡ଼ା ଟଙ୍କା ବାହାରିଥିଲା । ଏହାଦେଖି ତାଜୁବ ହୋଇଯାଇଥିଲେ ଯାଂଚକାରୀ ଦଳ । ଯାତ୍ରୀ ଜଣକକୁ ପଚାରାଉଚୁରା କରିଥିଲେ । ଯାତ୍ରୀ ଜଣକ କଲିକତାର ହରିପଦ ଶାହା ବୋଲି ନିଜର ପରିଚୟ ଦେଇଥିଲେ । ହେଲେ ଟଙ୍କା କାହାର, ଏତେ ଟଙ୍କା କେଉଁଠୁ ଆଣିଲେ, କେଉଁଠିକୁ ନେବେ ସେନେଇ ଯାତ୍ରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଯାହା ଉତ୍ତର ଦେଲେ ସେକଥାରେ ତାଳମେଳ ରହୁନଥିଲା । ଏଣୁ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗ ଟିମ ଟଙ୍କା ଭର୍ତ୍ତି ବ୍ୟାଗ ସହିତ ସଂପୃକ୍ତ ଯାତ୍ରୀଙ୍କୁ ବୈଦ୍ୟନାଥପୁର ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ । ବ୍ୟାଗରେ ନଗଦ 33ଲକ୍ଷରୁ ଅଧିକ ଟଙ୍କା ରହିଥିବା ପ୍ରାଥମିକ ଯାଂଚରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଖୋଳତାଡ଼ କରୁଛି ପୋଲିସ । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ