ବ୍ରହ୍ମପୁର:ରୋଗୀ ସେବା କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ଏମକେସିଜି ହସ୍ପିଟାଲ(MKCG Medical College And Hospital) । ଏବେ ପୁଣି ଔଷଧ ଦେବାରେ ଅବହେଳା କରି ପୁଣି ଚର୍ଚ୍ଚାକୁ ଆସିଛି । ବିଳମ୍ବିତ ରାତିରେ MKCG ହସ୍ପିଟାଲ ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଇ ଜଣେ ରୋଗୀଙ୍କ ସମ୍ପର୍କୀୟ ହଇରାଣ ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି । ରାତି ଅଧରେ ଔଷଧ ପାଇଁ ଆସିଥିବା ବେଳେ ସେଠାରେ ଥିବା କର୍ମଚାରୀ ଶୋଇଥିବାରୁ ସେ ଝରକା ବାଡେଇବାଡେଇ ନୟାନ୍ତ ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଜଣେ ରୋଗୀଙ୍କ ସମ୍ପର୍କୀୟ ଔଷଧ ଲେଖା ହୋଇଥିବା ଏକ କାଗଜ ଧରି ଆସି ନିରମୟ କେନ୍ଦ୍ରରେ ପହଞ୍ଚି ଥିଲେ । ଏହାପରେ ଔଷଧ ନେବା ପାଇଁ ଝରକା ବାଡେଇ ଥିଲେ । କିନ୍ତୁ ସେଠାରେ ଥିବା କର୍ମଚାରୀ ଶୋଇପଡିଥିଲେ । ବାରମ୍ବାର ବହୁ ସମୟ ପର୍ଯ୍ୟନ୍ତ ଝରକା ବାଡେଇବା ପରେ କର୍ମଚାରୀଙ୍କ ନିଦ ଭାଙ୍ଗିଥିଲା । କିନ୍ତୁ ସେ ଔଷଧ ଦେବା ପରିବର୍ତ୍ତେ ଚେୟାରରେ ବସି ରହିଥିଲେ । ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଔଷଧ ଦେବାକୁ କହୁଥିଲେ ମଧ୍ୟ କର୍ମଚାରୀ ଜଣଙ୍କ ଶୁଣୁନଥିଲେ । ପ୍ରାୟ ଅଧ ଘଣ୍ଟା ପରେ କର୍ମଚାରୀ ଜଣଙ୍କ ପ୍ରେସକ୍ରିପସନ ନେଇ ପଢିବାର କିଛି ସମୟ ପରେ ଅଳସ ଭାଙ୍ଗିଥିଲେ । ଏହାପରେ ଔଷଧ ଆଣି ଦେଇଥିଲେ । '' ଗତ ଗୁରୁବାର ଦିନ ଏପରି ଘଟଣା ଘଟିଥିବା ଜଣାପଡିଛି ।