ବ୍ରହ୍ମପୁର :ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଦଳୀୟ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀର ଦଳୀୟ କାର୍ଯ୍ୟାଳୟରେ ତାଲିମ ନେବେ ବ୍ରହ୍ମପୁର ବିଜେଡିର ମାଷ୍ଟର ଟ୍ରେନର । ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଦଳର 200 ଜଣ ମାଷ୍ଟର ଟ୍ରେନର ତାଲିମ ନେବେ ବୋଲି ସୂଚନା ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ମାଷ୍ଟର ଟ୍ରେନର ଯାଇ ଏହି ତାଲିମ ନେବେ । ଏନେଇ ବ୍ରହ୍ମପୁରରେ ଦଳ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେଠାରେ ମାସେ ବ୍ୟାପି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରାଯାଇଛି । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୫ ତାରିଖ ଧାର୍ଯ୍ୟ କରାଯାଇଛି । ଏହାକୁ ନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସୂଚନା ଦିଆଯାଇଛି । ତେବେ ସେଠାରେ ଏମାନଙ୍କୁ ଯେଉଁ ବିଷୟରେ ତାଲିମ ପ୍ରଦାନ କରାଯିବ ତାହାକୁ ଫେରିବା ପରେ ସହରରେ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବେ । ଯାହାକୁ ନେଇ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ରୂପରେଖ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା ସୂଚନା ଦେଇଛନ୍ତି ।