ବ୍ରହ୍ମପୁର: ବର୍ଷେ ପରେ ପୁଣି ବିରଳ ଅଲିଭ ରିଡଲେଙ୍କ ଆଗମନରେ ଚଳଚଞ୍ଚଳ ହୋଇଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏହି ବିରଳ ପ୍ରଜାତିର କଇଁଛଙ୍କ ପାଇଁ ବିଶ୍ବରେ ସବୁଠାରୁ ବଡ ପ୍ରଜନନ ଭୂମି ଓଡିଶା ହୋଇଥିବାରୁ ପ୍ରତିବର୍ଷ ରାଜ୍ୟର ଦେବୀ ନଦୀ ମୁହାଣ ଓ ଗହୀରମଥା ପରେ ଋଷିକୂଲ୍ୟାକୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଅଲିଭ ରିଡଲେ । ତେବେ ଏବର୍ଷ କୋରୋନା ପାଇଁ ଚାରିଆଡେ ବନ୍ଦ ଥିବା ବେଳେ ଏହି କଇଁଛଙ୍କୁ ବେଶ ସୁହାଇଛି ଏପରି ଏକାନ୍ତ ପରିବେଶ ।
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ଭିଡ ସୁଦୂର ଶ୍ରୀଲଙ୍କା, ମାଳଦ୍ବୀପ ଭଳି ଅଞ୍ଚଳରୁ ଓଡିଶା ଉପକୂଳକୁ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସନ୍ତି ବିରଳ ପ୍ରଜାତିର ଅଲିଭ ରିଡଲେ । ଗତବର୍ଷ ଅକ୍ଟୋବର-ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ବଙ୍ଗୋପସାଗର ଉପକୂଳରେ ମିଳନ ପର୍ବ ପରେ ଓଡିଶା ଉପକୂଳରେ ଆସି ଗଣ ଅଣ୍ଡାଦାନ ପର୍ବରେ ସାମିଲ ହୋଇଥାଆନ୍ତି ଏମାନେ । ତେବେ ଚଳିତ ବର୍ଷ ଋଷିକୂଲ୍ୟା ମୁହାଣରେ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡାଦାନ ପର୍ବରେ ସାମିଲ ହୋଇଥିବା ଦେଖାଯାଇଛି ।
ପ୍ରତ୍ୟେକ ଅଲିଭ ରିଡଲେ କଇଁଛ ସମୁଦ୍ର ଆସି ବେଳାଭୂମିର ବାଲୁକା ରାଶିରେ ଗାତ ଖୋଳି ସେଥିରେ ପ୍ରତ୍ୟେକ 100ରୁ 140ଟି ଅଣ୍ଡା ଦେଉଥିବା ଦେଖାଯାଇଛି । ଗତ ଚାରି ଦିନ ଧରି ଜାରି ରହିଥିବା ଏହି ଅଣ୍ଡାଦାନ ପର୍ବରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ କଇଁଛ ଆସି ସାମିଲ ହୋଇଥିବା ବେଳେ ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମୁଖ୍ୟତଃ ପ୍ରତ୍ୟେକ ବର୍ଷ ଋଷିକୁଲ୍ୟା ମୁହାଣକୁ ଅଲିଭ ରିଡଲେଙ୍କ ସୁଅ ଛୁଟୁଥିବାରୁ ସେମାନେ ଏହାକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳ ଭାବରେ ବାଛିନେଇଥିବା ଅନୁମାନ କରାଯାଏ ।
ଗତବର୍ଷ ବାତ୍ୟା ଫୋନି ଯୋଗୁଁ କଇଁଛମାନେ ଅଣ୍ଡାଦାନ ପର୍ବରେ ସାମିଲ ହୋଇପାରିନଥିବା ବେଳେ ଚଳିତବର୍ଷ ପୁଣି ଓଡିଶା ମୁହାଁ ଅଲିଭ ରିଡଲେ । ତେବେ ଏମାନଙ୍କ ସୁରକ୍ଷା ପାଇଁ ମୁହାଣର ପୁରୁଣାବନ୍ଧଠାରୁ ବଟେଶ୍ବର ପର୍ଯ୍ୟନ୍ତ ମୋଟ ପାଞ୍ଚ କିଲୋମିଟରରୁ ଉର୍ଦ୍ଧ୍ବ ସମୂଦ୍ର ବେଳାଭୁମିର ବାଲୁକା ରାଶି ଉପରେ ଅଲିଭ ରିଡଲେମାନେ ଏହି ଅଣ୍ଡାଦାନ ପର୍ବରେ ସାମିଲ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହାକୁ 50ଟି ସେଗମେଣ୍ଟରେ ବିଭକ୍ତ କରାଯାଇ ଜଙ୍ଗଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ