ବ୍ରହ୍ମପୁର:ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତାରୁ ବଞ୍ଚିତ 6 ହଜାର ଚାଷୀ । ଚାଷ କ୍ଷତି ହେଲେ ବୀମା ପାଇବାକୁ ଅର୍ଥ ଜମା କରିଥିବା ଚାଷୀଙ୍କୁ ମିଳିପାରୁନାହିଁ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ତିନି ପଞ୍ଚାୟତର ପ୍ରାୟ ୬ ହଜାର ଚାଷୀ ଏହି ସହାୟତା ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।
ତେବେ ଗତ ୨୦୨୧-୨୨ ମସିହାରେ ଖରିଫ ଧାନ ଫସଲ ସମୟରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରଙ୍ଗେଇଲୁଣ୍ଡା ବ୍ଲକର ତିନି ଗୋଟି ଗ୍ରାମ ପଞ୍ଚାୟତ କୋଲଥିଗାଁ, ଲଉଡିଗାଁ, ମେଣ୍ଡରାଜପୁର ଅଞ୍ଚଳରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ ହୋଇଯାଇଥିଲା । ଯାହାର ଆକଳନ କରି ରାଜ୍ୟ ସରକାରଙ୍କ ତରଫରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ଦ୍ଵାରା ରହିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ୬୦୦୦ରୁ ଊର୍ଦ୍ଧ୍ୱ ଗରୀବ ଚାଷୀ ପରିବାର । ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଗତ କିଛି ମାସ ଧରି ଲଗାତାର ଭାବରେ ଗଞ୍ଜାମ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ନିଜର ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଏପରିକି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲେ ମଧ୍ୟ ଚାଷୀମାନେ କୃଷି ବୀମା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ କୃଷି ଭବନରେ ମଧ୍ୟ ଅଭିଯୋଗ ଜଣାଇଛନ୍ତି ।