ଓଡିଶା

odisha

ETV Bharat / state

ମା' ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ହଜାର ହଜାର ଭକ୍ତ ସାମିଲ - ହଜାର ହଜାର ଭକ୍ତ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା । ପ୍ରଥମ ମଙ୍ଗଳବାର ସାମିଲ ହେଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

Maa taratarini
Maa taratarini

By

Published : Mar 15, 2023, 7:02 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା ‌ଅବସରର ପ୍ରଥମ ମଙ୍ଗଳବାର ପର୍ବ ପାଇଁ ଦିନତମାମ ଲାଗି ରହିଥିଲା ଭକ୍ତଙ୍କ ଭିଡ଼ । ମାଆଙ୍କୁ ଏହି ଅବସରରେ ଦର୍ଶନ କରିବା ପାଇଁ ମାଆଙ୍କ ପୀଠରେ ହଜାର ହଜାର ଭକ୍ତମାନେ ଦର୍ଶନ କରିବା ସହିତ ଛୋଟ ଶିଶୁମାନଙ୍କ ରହିଥିବା ମାନସିକ ପୂରଣ ପାଇଁ ମୁଣ୍ଡନ କରିଥିଲେ । ଭକ୍ତମାନଙ୍କ ଦର୍ଶନ ଶୃଙ୍ଖଳିତ ଭାବେ ହୋଇଥିବା ଦେଖିବାକୁ ମିଳିଛି ।

ମାଆ ରାଜ୍ୟର ଅନେକ ପରିବାରର ଇଷ୍ଟଦେବୀ ଭାବରେ ପରିଚିତ ରହିଥିବା ବେଳେ ମୁଖ୍ୟତଃ ଏହି ଚୈତ୍ର ପର୍ବ ସମୟରେ ଅନେକ ପରିବାରର ଶିଶୁମାନଙ୍କୁ ଆଣି ମାଆଙ୍କ ପୀଠରେ କାହିଁ କେଉଁ କାଳରୁ ମୁଣ୍ଡନ କରାଯାଇ ଆସୁଅଛି । ଆଉ ଏଭଳି କାର୍ଯ୍ୟ ପାଇଁ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ସେହିପରି ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଭାବରେ ଲମ୍ବା ଧାଡ଼ିରେ ଯାଇ ସମସ୍ତେ ମାଆଙ୍କୁ ଦର୍ଶନ କରିବା ସହିତ ନେଇଛନ୍ତି ଆଶିଷ । ସେପଟେ ପ୍ରଥମ ମଙ୍ଗଳବାର ଅବସରରେ ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଯାଇ ମାଆଙ୍କୁ ପର୍ବତ ଶିଖରରେ ଦର୍ଶନ କରିପାରିବେ ସେ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ବି ପଢନ୍ତୁ- ଜଙ୍ଗଲ ନିଆଁରେ ଜଳୁଛି ଓଡ଼ିଶା, ସରକାରଙ୍କୁ ଘେରିଲା କଂଗ୍ରେସ

ଭକ୍ତଙ୍କ ଲାଗି ପାନୀୟ ଜଳଠାରୁ ଆରମ୍ଭ କରି, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା, ପାହାଚ ଦେଇ ମାଆଙ୍କ ପୀଠକୁ ଯାଉଥିବା ଭକ୍ତଙ୍କ ପାଇଁ ସ୍ବେଚ୍ଛାସେବୀ ଓ ପୋଲିସ ମୁତୟନ ହୋଇଥିଲେ । ରାସ୍ତାରେ ପାହାଡର ଘାଟି ରାସ୍ତା ଦେଇ ଯାଉଥିବା ଭକ୍ତଙ୍କ ପାଇଁ ସିଟି ବସର ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ମାଆଙ୍କ ଚୈତ୍ର ପର୍ବ ସମୟରେ ମାଆ ପୀଠରେ ପାରମ୍ପାରିକ ରୀତିନୀତି ଅନୁଯାୟୀ କରାଯାଇଥାଏ ସମସ୍ତ ପ୍ରକାର ପୂଜାର୍ଚ୍ଚନା । ଭୋର ସମୟରେ ପୀଠରେ ଦ୍ବାର ଫିଟା ନୀତି ପରେ ଅବକାଶ, ମଙ୍ଗଳ ଆଳତୀ, ମଇଲମ ପରେ ପ୍ରଥମ ମଙ୍ଗଳବାର ଅବସରରେ ମହାକାଳୀ ରୂପରେ ମାଆ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ଚୈତ୍ର ପର୍ବ ସମୟରେ ପ୍ରଥମ ମଙ୍ଗଳବାରରେ ମାଆଙ୍କ ମହାକାଳୀ ବେଶ, ଦ୍ବିତୀୟ ମଙ୍ଗଳବାର ଅବସରରେ ମା' ମହାସରସ୍ଵତୀ, ତୃତୀୟ ମଙ୍ଗଳବାର ପର୍ବରେ ମହାଲକ୍ଷ୍ମୀ ଓ ଶେଷ ମଙ୍ଗଳବାରରେ ମା' ମହିଷାମର୍ଦ୍ଧିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚଳିତବର୍ଷ ଚୈତ୍ର ପର୍ବ ଅବସରରେ ମାଆଙ୍କ ଚାରୋଟି ମଙ୍ଗଳବାର ରହିଥିବା ବେଳେ ପ୍ରଥମ ମଙ୍ଗଳବାରଠାରୁ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ମାଆଙ୍କ ମନ୍ଦିର ପ୍ରତିଷ୍ଠା ସହିତ ସଂପୂର୍ଣ୍ଣ ରୂପାନ୍ତରୀକରଣ ପରେ ଚଳିତବର୍ଷ ମା'ଙ୍କ ପ୍ରଥମବର୍ଷର ଚୈତ୍ର ରହିଥିବାରୁ ଭକ୍ତ ମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ବହୁ ମାତ୍ରାରେ ସମାଗମ ହୋଇଥିବା ଜଣାଯାଇଛି । ବର୍ଷ ତମାମ ଭକ୍ତମାନେ ମା'ଙ୍କ ପୀଠରେ ସମାଗମ ଘଟୁଥିବା ବେଳେ ଏହି ସମସ୍ତଙ୍କ ମଧ୍ୟରେ ଯାହା ମନସ୍କାମନା କରିଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details