ବ୍ରହ୍ମପୁର:ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ରାଜ୍ୟରେ ଥିବା ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ମନ୍ଦିର ସମେତ ପୋଲସରାର ମାରଦା ପୀଠ, ଚିକିଲିର ଜଗନ୍ନାଥ ମନ୍ଦିର ଓ କବିସୂର୍ଯ୍ୟନଗରର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନ୍ଦିରର ପୂଜକ/ସେବାୟତମାନଙ୍କୁ ଲୋକାର୍ପଣ ଉତ୍ସବକୁ ଆମନ୍ତ୍ରିତ କରାଯାଉଛି । ଏହି ନିମନ୍ତ୍ରଣ ପତ୍ର ଦେବା ପାଇଁ ପୁରୀରୁ ଆସିଥିବା ସେବାୟତ ଓ ପୁରୀ ପ୍ରଶାସନର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଜଗତର ନାଥ ଓଡ଼ିଆଙ୍କ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାର ଭବ୍ୟ ଆୟୋଜନ ସକାଶେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ସମେତ ଦେଶର ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ଯୋଗ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପକ୍ଷରୁ ଆସିଥିବା ପ୍ରତିନିଧି ଟିମରେ ପୁରୀର ସହକାରୀ ଶ୍ରମ ନିୟୋଜନ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, ନାରାୟଣ ପ୍ରତିହାରୀ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ମାଁ ଭଣ୍ଡାର ଘରେନଙ୍କୁ ନିମନ୍ତ୍ରଣ