ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆୟୋଜିତ ହେବ । ଅପ୍ରେଲ ୯ ତାରିଖ ବିଳମ୍ବିତ ରାତ୍ରିରେ ମାଆଙ୍କ ଏହି ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରାକୁ କୋଭିଡ କଟକଣା ମଧ୍ୟରେ ଶେଷ କରିପାରିବା ପାଇଁ ପ୍ରଶାସନିକ ସ୍ତରରେ ବୈଠକ କରାଯାଇ ଏ ସମ୍ପର୍କରେ ଆଲୋଚନା କରାଯାଇଛି ।
ଦେଶୀ ବେହେରା ସାହିଠାରେ ମାଆଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ ପ୍ରାୟ ଶେଷ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ଯାୟରେ ସାତ ଦିନ ପାଇଁ ଏହା ଆୟୋଜନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଛି । ସହରର ମହାନଗର ନିଗମ କାର୍ଯ୍ଯାଳୟ ପରିସରରେ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ଅଧ୍ଯକ୍ଷତାରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ କୋରୋନା କଟକଣା ସହିତ ପରମ୍ପରା ଓ ରୀତୀନୀତିରେ ଯାତ୍ରା ଆୟୋଜିତ କରିବାକୁ ବୈଠକରେ ଆଲୋଚନା କରାଯାଇଛି ।