maa budhi thakurani yatara ବ୍ରହ୍ମପୁର:ରେଶମ ସହର ବ୍ରହ୍ମପୁରରେ ଚାଲିଛି ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ଘଣ୍ଟ, ଘଣ୍ଟା, ହୁଳହୁଳିରେ କମ୍ପୁଛି ପୁରା ସହର । ଚତୁର୍ଥ ଦିବସରେ ଯଥାବିଧି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମାଆଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଛି । ତୃତୀୟ ଦିନରେ କେବଳ ମହୁରୀ ରାଜବାଟୀ ଯାଇ ମାଆଙ୍କ ଘଟ ଫେରୁଥିବା ବେଳେ ଶୁକ୍ରବାର ଚତୁର୍ଥ ଦିବସରେ ସନ୍ଧ୍ୟା ଆଳତି ପରେ ମାଆଙ୍କ ଘଟ ପରିକ୍ରମା ପାଇଁ ବାହାରିଥିଲା ।
ଅସ୍ଥାୟୀ ମନ୍ଦିରରୁ ପ୍ରଥମେ ମାଆଙ୍କ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ଵ ଘଟକୁ ମିଶାଇ ନଅଗୋଟି ଘଟ ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ଘରେ ପ୍ରଥମ ଆଳତୀ ହୋଇଥିଲା । ଏହାପରେ ସେଠାରୁ ମହୁରୀ ରାଜବାଟୀ ଯିବା ପରେ ବଡ଼ବଜାର ଦେଇ କମଳାବାରୀ ସାହି ସାନ୍ତାଣୀ ସାହି ଓ ମାର୍ଥାପେଟା ସାହି ଦେଇ ପୁଣି ଦେଶୀବେହେରା ସାହିକୁ ଫେରିଥିଲା । ପରମ୍ପରା ଅନୁଯାୟୀ ଚତୁର୍ଥ ଦିବସରେ ମାଆଙ୍କ ଘଟ ପରିକ୍ରମା ସମୟରେ ମାଆ କମଳାବାରୀ ସାହିରେ ଧର୍ମଝଣ୍ଡା ନିମନ୍ତ୍ରଣ କରିବା ସହ ସାନ୍ତାଣୀ ସାହିରେ ଦୋଳି ରଥକୁ ନିମନ୍ତ୍ରଣ କରିବାର ପରମ୍ପରା ରହିଛି । ପଞ୍ଚମ ଦିନରେ ମାଆଙ୍କ ଅସ୍ଥାୟୀ ମନ୍ଦିର ସମୁଖରେ ଧର୍ମଝଣ୍ଡା ସ୍ଥାପନ କରାଯାଇଥାଏ ।
ଦେଶୀବେହେରାଙ୍କ ଧର୍ମପତ୍ନୀ ଘଟ ଧାରଣ କରିଥିଲେ । ବାଜା ବାଜଣା, ମହୁରୀ ଏବଂ ହୁଳହୁଳିରେ ମାଆ ସାହି ପରିକ୍ରମା କରିଥିଲେ । ସ୍ଥାନୀୟ ବାସିନ୍ଦା ମଧ୍ୟ ମାଆଙ୍କର ଗୋଡ ଧୋଇ ପୂଜାର୍ଚ୍ଚନା କରିଥିଲେ । ତେବେ ଗତଥର କୋରୋନା କଟକଣା ପାଇଁ ଲୋକଙ୍କ ମନରେ ଉତ୍ସାହ ନଥଲା । ଚଳିତବର୍ଷ ବିନା କଟକଣାରେ ପୂଜା ସହ ଘଟ ପରିକ୍ରମା ହୋଇଥିବାରୁ ଲୋକେ ବେଶ୍ ଖୁସି ଅଛନ୍ତି । ଗତକାଲି(ଶୁକ୍ରବାର) ମଧ୍ୟ ମା ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଇଥିବା ବେଳେ ବହୁ ଦୂରଦୁରାନ୍ତରରୁ ଲୋକେ ଆସି ଆର୍ଶୀବାଦ ନେଇଥିଲେ । ତେବେ ପରମ୍ପରା ଅନୁସାରେ, ଗତକାଲି ଧର୍ମଝଣ୍ଡାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆଜି ପଞ୍ଚମ ଦିନରେ ଧର୍ମଝଣ୍ଡା ସ୍ଥାପନ ହେବ ।
ଧର୍ମଝଣ୍ଡାର କିମ୍ବଦନ୍ତୀ:ବ୍ରହ୍ମପୁରର ଆରାଧ୍ୟ ଦେବୀ ମା' ବୁଢୀ ଠାକୁରାଣୀର ଅନେକ କିମ୍ବଦନ୍ତୀ ରହିଛି । ଆଜି ସ୍ଥାପନ ହେବାକୁ ଥିବା ଧର୍ମଝଣ୍ଡାକୁ ଧର୍ମ ରକ୍ଷାର ପ୍ରତୀକ ବୋଲି କୁହାଯାଏ । ଏହି ଝଣ୍ଡା ଅସ୍ଥାୟୀ ମଣ୍ଡପର ବାମ କଡରେ ସ୍ଥାପନା କରାଯାଇଥାଏ । ଆଜି କମଲଓ୍ବାରୀ ସାହି ବାସିନ୍ଦା ଏହି ଝଣ୍ଡାକୁ ଧରି ଅସ୍ଥାୟୀ ମଣ୍ଡପରୁ ଆସିବେ । ପୂର୍ବରୁ ହଳଦୀ ପାଣିରେ ଧୂଆ ହୋଇ ରଖାଯାଇଥାଏ ଏହି ଝଣ୍ଡା । ଝଣ୍ଡାକୁ ସ୍ଥାପନ କରାଇବା ପାଇଁ ଏକ ଗର୍ତ୍ତ ଖୋଳାଯାଇଥାଏ । କମଲଓ୍ବାରୀ ସାହି ବାସିନ୍ଦା ଏହାକୁ ଆଣିବା ପରେ ସ୍ଥାପନ କରାଯାଇଥାଏ । ବିଭିନ୍ନ ଦୁଷ୍ଟଶକ୍ତି ପ୍ରଭାବରୁ ମା'ଙ୍କ ଆସ୍ଥାନକୁ ରକ୍ଷା କରିବା ସହ ମାନବ ସମାଜର ଧର୍ମ ରକ୍ଷା କରିବା ପାଇଁ ଏହି ଧର୍ମ ଝଣ୍ଡା ସ୍ଥାପନ କରାଯାଇଥାଏ ।
ଇଟିଭି ଭାରତ, ବ୍ରହ୍ମପୁର