ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପୁଣି ଜଣେ ବିଜେଡି ଯୁବନେତାଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡି ଦଳର ନେତା କିଏ ହେବ, ତାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଆଉ ଏହି ଛକାପଞ୍ଜା ମଧ୍ୟରେ ଗଲାଣି ୬ ନେତାଙ୍କ ଜୀବନ । ସେପଟେ ନିଜ ଗୋଷ୍ଠୀର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ କରି ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ ଓ ତାଙ୍କ ସମର୍ଥକ ।
ଦଳୀୟ କଳିରୁ ଗଡ଼ୁଛି ମୁଣ୍ଡ !: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପୁଣି ଜଣେ ବିଜେଡି ଯୁବନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗ୍ରାମ ପଞ୍ଚାୟତର ବିଜେଡି ଯୁବନେତା ଲଳିତ ମୋହନ ମହାପାତ୍ରଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ ଓ ଦଳୀୟ ନେତୃବୃନ୍ଦ । ପୂର୍ବରୁ ହତ୍ୟା କରିବାକୁ ଲଳିତଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଗତ ୨ ଦିନ ତଳେ ଲଳିତଙ୍କ ସହିତ ସେହି ଗ୍ରାମର ଅନ୍ୟ ଗୋଷ୍ଠୀର ବିଜେଡି ନେତା ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା । ଉପସ୍ଥିତ କିଛି ବ୍ୟକ୍ତି ହସ୍ତକ୍ଷେପ ପରେ ଗଣ୍ଡଗୋଳ ହଟିଥିବା ବେଳେ ଲଳିତ ନିଜ ବୁଲେଟରେ ଘରକୁ ଫେରିଥିଲେ । ଆଉ ପଛରେ ତାଙ୍କୁ ପିଛା କରି ଆସିଥିବା ରାମକୃଷ୍ଣ ଲଳିତଙ୍କ ଉପରକୁ କାର ଚଢ଼ାଇ ଧକ୍କା ଦେବାରୁ ସେ ରାସ୍ତାକଡରେ ଥିବା ନଡ଼ିଆ ଗଛରେ ପିଟି ହୋଇଯାଇଥିଲେ ।
ଗଲାଣି ୬ ଜଣଙ୍କ ଜୀବନ: ଏହାପରେ ଘଟଣାସ୍ଥଳରୁ ନିଜେ ରାମକୃଷ୍ଣ ଲଳିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତଙ୍କୁ ମୃତ ଘୋଷଣା କରିବା ପରେ ରାମକୃଷ୍ଣ ମେଡିକାଲ ବେଡ୍ରେ ଲଳିତଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଯାହାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ସେପଟେ ଏହି ଘଟଣା ପରେ ବିପିନ ପ୍ରଧାନ ଏବଂ ତାଙ୍କ ସମର୍ଥକ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ପଞ୍ଚାୟତ ନିର୍ବାଚନ ପରଠାରୁ ୬ ଜଣ ନେତାଙ୍କ ଜୀବନ ଚାଲିଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଗୋଷ୍ଠୀର ଗୋଟିଏ ପରେ ଗୋଟିଏ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି ବିପିନ ।