ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଜୋର ଧରିଲା । ଯାହାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଛି । କମିଟିର ସଭାପତି ସଞ୍ଜୀବ କୁମାର ପଟ୍ଟାୟକଙ୍କ ନେତୃତ୍ୱରେ ସହରବାସିନ୍ଦା ଏବଂ କମିଟିର ସଦସ୍ୟମାନେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳରେ ରହିଥିବା 7 ଗୋଟି ତହସିଲ, 6 ଗୋଟି ବ୍ଲକ, 3ଟି NAC ସମେତ ବ୍ରହ୍ମପୁର ମହାନଗର ନିଗମର ପ୍ରାୟ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ରହୁଥିବା ବେଳେ ଏହାକୁ ସ୍ୱତନ୍ତ୍ର ଜିଲ୍ଲା ଭାବରେ ସରକାର ଘୋଷଣା କରିବା ସହ ସ୍ୱତନ୍ତ୍ର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି RDO କାର୍ଯ୍ୟାଳୟ ସ୍ଥାପନ କରିବାକୁ ଦାବି କରାଯାଇଛି । ଦୀର୍ଘ ବର୍ଷ ଧରି ଏହି ଦାବି କରାଯାଉଥିବା ବେଳେ ସରକାର ଏଥିପ୍ରତି ତୁରନ୍ତ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ ଜରିଆରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରଦାନ କରାଯାଇଥିଲା ।