ବ୍ରହ୍ମପୁର: ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବିକ୍ଷୋଭ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଯାଇ ବ୍ରହ୍ମପୁର ସହରରେ ରହିଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତନ କରାଯାଇଛି । ଯାହାକୁ ବିରୋଧ କରି ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ଧାରଣା ସହ ବିକ୍ଷୋଭ ଜାରି ରହିଛି । ତେବେ ଗତ ୧୩ ତାରିଖରୁ ବ୍ରହ୍ମପୁର ସହରର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଏଲ୍.ଏଲ୍.ଏମ୍ ତୃତୀୟ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯିବା ସହିତ ସେଣ୍ଟର ପରିବର୍ତ୍ତନ ଦାବି କରି ଧାରଣା ସହିତ ପ୍ରତିବାଦ କରିଥିଲେ ।
ଏହା ପରେ ଇତି ମଧ୍ୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ଆଲୋଚନା କରି ମଧ୍ୟ କୌଣସି ସଫଳତା ନମିଳିବା ପରେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ମହାବିଦ୍ୟାଳୟର ଏଲ୍.ଏଲ୍.ଏମର ତୃତୀୟ ସେମିଷ୍ଟାରରେ ପ୍ରାୟ ୨୪ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ପୂର୍ବରୁ ରହିଥିବା ପରୀକ୍ଷା କେନ୍ଦ୍ରକୁ କୁଆଡେ ରାତି ଅଧିଆ ପରିବର୍ତ୍ତନ କରାଯାଇଛି । ତେବେ କୌଣସି କାରଣ ନଦର୍ଶାଇ ପରୀକ୍ଷା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଦାନ କରିବା ସହିତ ସେଠାରୁ ଆଡମିଟ୍ କାର୍ଡ ସଂଗ୍ରହ କରି ନେବାକୁ କୁହାଯିବା ପରେ ବିଦ୍ୟାର୍ଥୀ ମାନେ କାହିଁକି ଏପରି ପରିକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରାଗଲା ତାହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।