ଓଡିଶା

odisha

24 years of Kargil War: ପ୍ରଥମ ଓଡ଼ିଆ ଶହୀଦ ଯବାନ ଶ୍ରୀନିବାସ, ବିବାହର ୩ ଦିନରେ ବାହାରିଥିଲେ କର୍ମକ୍ଷେତ୍ର

By

Published : Jul 26, 2023, 8:04 AM IST

୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବୀରତ୍ବର ସହ ଲଢେଇ କରି ଦେଶରେ ବିଜୟର ଧ୍ଵଜା ଉଡାଇବାରେ ସଫଳ ହୋଇଥିବା ଅନେକ ବୀର ଯବାନଙ୍କ ମଧ୍ୟରୁ ଜଣେ ଥିଲେ ପ୍ରଥମ ଓଡ଼ିଆ ଶହୀଦ ଗଞ୍ଜାମ ଜିଲ୍ଲାର ଏମ.ଶ୍ରୀନିବାସ ପାତ୍ର । ଯାହାଙ୍କୁ ଆଜି ମଧ୍ୟ ଝୁରୁଛି ନିଜ ଜନ୍ମମାଟି ଓ ପରିବାର । କାର୍ଗିଲ ବିଜୟ ଦିବସ ଅବସରରେ ସେହି କାରଗିଲର ବୀରଙ୍କ ଗାଥାକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ..

1999 Kargil War
1999 Kargil War

24 years of Kargil War: ପ୍ରଥମ ଓଡ଼ିଆ ଶହୀଦ ଯବାନ ଶ୍ରୀନିବାସ, ବିବାହର ୩ ଦିନରେ ବାହାରିଥିଲେ କର୍ମକ୍ଷେତ୍ର

ବ୍ରହ୍ମପୁର:୧୯୯୯ ମସିହାରେ ଦୀର୍ଘ ୨ ମାସ ଧରି ସୀମାରେ ଚାଲିଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ । ଲଦାଖର ଉଚ୍ଚ ଶିଖରରେ ପାକ୍‌ ଅନୁପ୍ରବେଶକାରୀଙ୍କୁ ଉଚିତ ଜବାବ ଦେଇଥିଲା ଭାରତୀୟ ସେନା । ଶେଷରେ ଜୁଲାଇ ୨୬ରେ ଶତ୍ରୁକୁ ଦମନ କରି ତ୍ରିରଙ୍ଗା ଉଡାଇଥିଲେ ବୀର ଭାରତୀୟ ଯବାନ । ଭାରତ ଓ ପାକିସ୍ତାନର ପ୍ରଥମ ସଶସ୍ତ୍ର ଯୁଦ୍ଧରେ ପ୍ରଥମ ଓଡିଆ ଯବାନ ଭାବେ ଶହୀଦ ହୋଇଥିଲେ ଇଣ୍ଡିଆନ ଆର୍ମିର ଲାନ୍ସ ନାଏକ ଏସ ଶ୍ରୀନିବାସ ପାତ୍ର । ଆଜି କାର୍ଗିଲ ବିଜୟ ଦିବସକୁ ୨୪ ବର୍ଷ ପୁରିଥିବା ବେଳେ ପ୍ରଥମ ଓଡିଆ ଶହୀଦଙ୍କୁ ଝୁରୁଛି ଜନ୍ମମାଟି । ତାଙ୍କ ବୀରତ୍ବର କଥା କହିବା ବେଳେ ଗର୍ବରେ ଫାଟିପଡୁଛି ଗ୍ରାମବାସୀଙ୍କ ଛାତି ।

ବିବାହର ୩ ଦିନ ପରେ ଫେରିଥିଲେ କର୍ମକ୍ଷେତ୍ର:-କାର୍ଗିଲ ଯୁଦ୍ଧ ପୂର୍ବରୁ ଛୁଟି ନେଇ ବିବାହ କରିବାକୁ ନିଜ ଘରକୁ ଆସିଥିଲେ ଶହୀଦ ଶ୍ରୀନିବାସ । ହେଲେ ବିବାହର ମାତ୍ର ଦିନ କେଇଟା ପରେ ଦେଶ ମାତୃକାର ସେବା ପାଇଁ କାର୍ଗିଲରୁ ଆସିଥିଲା ଡ଼ାକରା । ଆଉ ନୂଆ ଜୀବନକୁ କ୍ଷଣିକରେ ଛାଡି ଯୁଦ୍ଧ ଭୂମି ଅଭିମୁଖେ ଆଗେଇ ଚାଲିଯାଇଥିଲେ ଏହି ବୀର ଯବାନ । ଅଦମ୍ୟ ସାହସର ସହ ଶତ୍ରୁ ପକ୍ଷକୁ ମୁକାବିଲା କରିବା ସମୟରେ ଗୁଳିର ସାମ୍ନା କରିଥିଲେ ଶ୍ରୀନିବାସ । ଯାହାକି ୫ ଜୁଲାଇରେ ସେହି ଗୁଳିରେ ଦେଶ ମାତୃକା ପାଇଁ ରକ୍ତର ଛିଟାରେ ଆଙ୍କି ଦେଇଯାଇଥିଲେ ସେ ନିଜ ଶେଷ ନିଃଶ୍ଵାସର ଛବି । କମ ବୟସରୁ ତାଙ୍କର ଏହି ବଳିଦାନ ଯୁବପୀଢିଙ୍କ ପାଇଁ ସେ ପାଲଟି ଯାଇଛନ୍ତି ପ୍ରେରଣାଦାୟୀ । ତାଙ୍କ ବୀରତ୍ୱର କଥା କହିଲେ ଗର୍ବରେ ଫାଟି ପଡେ ପରିବାର ବର୍ଗଙ୍କଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ଛାତି ।

ଏହା ବି ପଢନ୍ତୁ- ଶହୀଦ ସ୍ମାରକୀ: କୁନି ଝିଅ ହାତରେ ଶହୀଦ ବାପାର ଶେଷ ସନ୍ତକ

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଜଗଦଲପୁର ଗ୍ରାମର ଶହୀଦ ପରିବାରରେ ଏବେ ବି ଅତ୍ୟନ୍ତ ସୁରକ୍ଷିତ ଭାବରେ ରଖାଯାଇଛି ଅମର ଶହୀଦଙ୍କ କାର୍ଗିଲ ଯୁଦ୍ଧ କରିବା ସମୟରେ ନିଜ ୟୁନିଫର୍ମରେ ରହିଥିବା ସେନାର ରାଙ୍କ ସହିତ ଛାତି ଉପରେ ରହିଥିବା ନେମପ୍ଳେଟ, ଶହୀଦ ପୋଷାକରେ ଲାଗିଥିବା ସମ୍ମାନଜନକ ରେଜିମେଣ୍ଟର ସହିତ ହାତରେ ପିନ୍ଧିଥିବା ସେହି ସମୟର ଘଡ଼ି ଏବଂ ସାର୍ଟ ପକେଟରେ ବ୍ୟବହାର ହୋଇଥିବା କଲମ । ଯାହାକୁ ଆଜି ବି ଦେଖିଲେ ସେହି ଯୁଦ୍ଧ କଥାକୁ ମନେ ପକାଇ ଝୁରୁଛନ୍ତି ପରିବାର ସମେତ ଜନ୍ମମାଟିର ସାଧାରଣ ଜନତା ।

ସେହି ଦିନକୁ ସ୍ମରଣ କରି ଶହୀଦ ଶ୍ରୀନିବାସଙ୍କ ବଡ଼ ଭାଇ ତ୍ରିଲୋଚନ କହିଛନ୍ତି, " ବିବାହର ୩ ଦିନରେ ତା' ନିକଟକୁ ଏକ ଜରୁରୀ ଫୋନ ଆସିଥିଲା । ଏହାପରେ ସେ କର୍ମକ୍ଷେତ୍ରକୁ ବାହାରିଥିଲା । ହେଲେ ଆଉ ଫେରିନଥିଲା । ଘରର ସାନ ପୁଅ ଥିଲା ବୋଲି ବହୁତ ଗେହ୍ଲା ଥିଲା । ତା ବିୟୋଗ ଆମ ସମସ୍ତଙ୍କୁ କଷ୍ଟ ଦେଇଛି ସତ, ହେଲେ ସେ ଦେଶ ପାଇଁ ଯେଉଁ କାମ କରିଯାଇଛି ସେ ନେଇ ଆମେ ଗର୍ବିତ । ଆଜି ତାର ପ୍ରତିଟି ବ୍ୟବହୃତ ଜିନିଷକୁ ମୁଁ ଘରେ ସାଇତି ରଖିଛି ।"


୧୯୯୯ ମସିହାରେ ଦୀର୍ଘ ଦୁଇ ମାସ ଧରି ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘଟିଥିଲା ଅନ୍ତ । ଦେଶର ବୀର ଯବାନ ନିଜ ଜୀବନକୁ ବଳିଦାନ ଦେଇ ସ୍ଵର୍ଣ୍ଣିମ ଅକ୍ଷରରେ ଲେଖିଯାଇଥିଲା ଇତିହାସ । ସେହି ଇତିହାସକୁ ପୁରିଛି ୨୪ ବର୍ଷ । ଆଉ ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଲାନ୍ସ ନାଏକ ଏସ. ଶ୍ରୀନିବାସ ପାତ୍ରଙ୍କ ଜନ୍ମମାଟିରେ ସ୍ଥାନୀୟ ଉତ୍ସାହୀ ଯୁବକ । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଯୁଦ୍ଧରେ ପ୍ରାଣ ହରାଇଥିବା ପ୍ରଥମ ଓଡିଆ ଶହୀଦଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା ପ୍ରତିମୂର୍ତ୍ତି ନିକଟରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି କାର୍ଗିଲ ବିଜୟ ଦିବସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details