ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରେ ଜଣେ ଅପହୃତ ଯୁବକଙ୍କ ମିଳିଲା ମୃତଦେହ । ରାସ୍ତା କଡ଼ରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାକରି ଦୁର୍ବୃତ୍ତମାନେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଗଞ୍ଜାମରେ ବଢ଼ିଚାଲିଛି ଅପରାଧୀଙ୍କ ଆତଙ୍କରାଜ । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ବେଧଡ଼କ ଘଟାଇ ଚାଲିଛନ୍ତି ବଡ଼ବଡ଼ ଅପରାଧ । ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଯୁବକଙ୍କ ଶେଷରେ ମୃତଦେହ ମିଳିଛି । କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡ଼ରେ ଏକ ରକ୍ତାକ୍ତ ଅବସ୍ଥାରେ ଏହି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମୃତଦେହଟି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର ବୋଲି ଚିହ୍ନଟ କରିଛନ୍ତି ପରିବାରବର୍ଗ । ଗତ ୬ ତାରିଖ ଅପରାହ୍ନରେ ଦୀପୁଙ୍କୁ ଅପହରଣ କରିବା ପରେ ହତ୍ୟା କରିବା ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି ।
ଏହାମଧ୍ୟ ପଢନ୍ତୁ...କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପରହରଣ ଅଭିଯୋଗ; ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ
ସୂଚନା ଅନୁଯାୟୀ, ଗତ 6 ତାରିଖ ଦିନ ଅପରାହ୍ନ ସମୟରେ କେ.ଖରିଡା ଗ୍ରାମର ଦୀପୁ ପାତ୍ର ଏକ ମାମଲାରେ ନିଜ ଆଇନଜୀବୀଙ୍କ ସହିତ ଆଲୋଚନା କରିବାକୁ କୋଦଳା କୋର୍ଟକୁ ଯାଇ ଘରକୁ ଫେରୁଥିବା ସମୟରେ ଜେ.ଛଚିନା ଗ୍ରାମ ନିକଟରେ କିଛି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ନେଇଥିଲେ । ଏପରିକି ଦୀପୁଙ୍କୁ ଅପହରଣ କରିବା ପରେ ମାଡ଼ ମାରିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭିଡ଼ିଓ କଲ କରି ଦେଖାଇଥିଲେ ଦୁବୃର୍ତ୍ତ । ଏହାପରେ ଦୀପୁଙ୍କ ପରିବାର ଲୋକେ ଏନେଇ କୋଦଳା ଥାନାରେ ଅଭିଯୋଗ କରିବା ସହ ଗଞ୍ଜାମ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।