ବ୍ରହ୍ମପୁର: ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ଐତିହାସିକ କଣ୍ଢେଇ ଯାତ୍ରା । ସହରର ଖାଷ୍ପା ସାହିରେ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ଯାତ୍ରା ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଏକ ପ୍ରୟାସ ବୋଲି କୁହାଯାଉଛି। ଯାତ୍ରାରେ ମାଟି କଣ୍ଢେଇ,ଗୋବର କଣ୍ଢେଇ ,ଚିନି କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ଚାହିଦା ଦେଖିବାକୁ ମିଳୁଥିବାବେଳେ ଆଧୁନିକତାର ଛାପ ମଧ୍ୟରେ ପାରମ୍ପରିକ କଣ୍ଢେଇ ସହ ପ୍ଳାଷ୍ଟିକ ଓ ରବର କଣ୍ଢେଇ ବିକ୍ରିବଟା ବୃଦ୍ଧି ପାଇଛି।
ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର କଳା ସଂସ୍କୃତି ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ପ୍ରସିଦ୍ଧ କଣ୍ଢେଇ ଯାତ୍ରାର ରହିଥାଏ ଭିନ୍ନ ଆକର୍ଷଣ । ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ସହରର ଖାସ୍ପା ସାହିରେ ଆୟୋଜିତ ହେଉଥିବା ଏହି ଯାତ୍ରାକୁ ଦେଖିବାକୁ ସତେ ଯେପରି ସମସ୍ତେ ଅପେକ୍ଷା କରି ରହିଥାଆନ୍ତି । ଏଥିରେ ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର, ହରିଣଠାରୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଅନେକ ଛୋଟଛୋଟ ମୂର୍ତ୍ତିର ପସରା ଦେଖିବାକୁ ମିଳେ । ସେହିଭଳି ଗୋବର କଣ୍ଢେଇ, ଚିନିର ପ୍ରସ୍ତୁତ କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ବିକ୍ରିବଟା ବେଶ୍ ଜମିଥାଏ । ତେବେ ଆଧୁନିକତାର ଛାପରେ ଦିନକୁ ଦିନ ପାରମ୍ପରିକ କଣ୍ଢେଇ ସେତେଟା ଦେଖିବାକୁ ମିଳୁନଥିଲେ ମଧ୍ୟ ଇତିମଧ୍ୟରେ ଏହି ଯାତ୍ରା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ।